ବଜେଟ ପୂର୍ବରୁ ଭରିଗଲା ସରକାରଙ୍କ ଭଣ୍ଡାର: ଜାନୁଆରୀରେ ଏତିକି କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୨: ଦେଶର ଅର୍ଥନୀତି ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଜାନୁଆରୀ ମାସରେ ମୋଟ ଦ୍ରବ୍ୟ ଓ ସେବା କର (GST) ସଂଗ୍ରହ ୧.୯୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହା ଗତ ବର୍ଷ ତୁଳନାରେ ୬.୨ ପ୍ରତିଶତ ଅଧିକ। ମୁଖ୍ୟତଃ ଆମଦାନୀ ଶୁଳ୍କରେ ବୃଦ୍ଧି ଯୋଗୁଁ ଏହି ସଫଳତା ମିଳିଥିବା ଜଣାପଡ଼ିଛି।

ଜାନୁଆରୀ ମାସର GST ରିପୋର୍ଟ ଅନୁଯାୟୀ, ଘରୋଇ କାରବାର ଅପେକ୍ଷା ଆମଦାନୀ କ୍ଷେତ୍ରରୁ ଅଧିକ ରାଜସ୍ୱ ଆସିଛି। ଗତ ମାସରେ ରିଫଣ୍ଡ ପରିମାଣ ୩.୧ ପ୍ରତିଶତ ହ୍ରାସ ପାଇ ୨୨,୬୬୫ କୋଟି ଟଙ୍କା ରହିଥିବା ବେଳେ, ନିଟ୍ ଜିଏସଟି ସଂଗ୍ରହ ୭.୬ ପ୍ରତିଶତ ବୃଦ୍ଧି ସହ ୧.୭୧ ଲକ୍ଷ କୋଟି ଟଙ୍କା ରହିଛି।

ଆମଦାନୀ ଜନିତ ଟିକସ ସଂଗ୍ରହରେ ୧୦.୧ ପ୍ରତିଶତର ବଡ଼ ଧରଣର ବୃଦ୍ଧି ଘଟିଥିବା ବେଳେ ଘରୋଇ କାରବାରରୁ ସଂଗୃହିତ ଟିକସରେ ୪.୮ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

ତେବେ ସେସ୍ ସଂଗ୍ରହରେ ବଡ଼ ଧରଣର ହ୍ରାସ ଘଟି ଏହା ୫,୭୬୮ କୋଟି ଟଙ୍କାରେ ସୀମିତ ରହିଛି। ଯାହା ଗତ ବର୍ଷ ସମାନ ଅବଧିରେ ୧୩,୦୦୯ କୋଟି ଟଙ୍କା ଥିଲା।

୨୦୨୫ ସେପ୍ଟେମ୍ବରରୁ ପ୍ରାୟ ୩୭୫ଟି ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ ପାଇବା ଏବଂ କେବଳ ତମ୍ବାଖୁ ଜାତୀୟ ଦ୍ରବ୍ୟ ଉପରେ ସେସ୍ ସୀମିତ ରହିବା ଯୋଗୁଁ ଏହି ପରିବର୍ତ୍ତନ ଦେଖାଦେଇଛି।

Share