Categories: Home Leftଖେଳ

ବାହା ହେବେ ଜାମ୍ପା: ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେନି

ବେଙ୍ଗାଲୁରୁ, ୨୫।୩(ପି.ଟି.): ଅଷ୍ଟ୍ରେଲିଆ ଲେଗ୍‌- ସ୍ପିନର ଆଡାମ ଜାମ୍ପା ବିବାହ କରିବାକୁ ଯାଉଛନ୍ତି। ଫଳରେ ସେ ଏପ୍ରିଲ ୯ ତାରିଖରୁ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିପାରିବେ ନାହିଁ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ଜାମ୍ପା ଏଥର ବାଙ୍ଗାଲୋର ତରଫରୁ ପ୍ରତିନିଧିତ୍ୱ କରିବେ। ଏ ନେଇ ଟିମ୍‌ ଡାଇରେକ୍ଟର ମାଇକ ହେସନ ବୁଧବାର ସୂଚନା ଦେଇଛନ୍ତି।
ଜାମ୍ପା ବିବାହ କରିବାକୁ ଯାଉଥିବାରୁ ପ୍ରଥମ ମ୍ୟାଚ୍‌ରେ ଆମେ ସମସ୍ତ ବିଦେଶୀ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବୁ ନାହିଁ ବୋଲି ହେସନ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି। ୨୮ ବର୍ଷୀୟ ଜାମ୍ପା ୧୭୩ଟି ଟି୨୦ ମ୍ୟାଚ୍‌ ଖେଳି ୨୦୦ ଉଇକେଟ ଅକ୍ତିଆର କରିଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ଜାମ୍ପା ମାତ୍ର ୩ଟି ମ୍ୟାଚ୍‌ ଖେଳି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଭାରତ- ଇଂଲଣ୍ଡ ଦିନିକିଆ ସିରିଜର ଗୋଟିଏ ଦିନ ପରେ ମାର୍ଚ୍ଚ ୨୯ରେ ଚେନ୍ନାଇରେ ବାଙ୍ଗାଲୋର ପ୍ରଶିକ୍ଷଣ ଶିବିର ଆରମ୍ଭ କରିବ। ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ଦିନିକିଆ ସିରିଜରେ ସାମିଲ ଥିବା ଅନ୍ୟ ଭାରତୀୟ ଖେଳାଳି ଗୋଟିଏ ବବ୍‌ଲରୁ ଆଉ ଏକ ବବ୍‌ଲକୁ ସ୍ଥାନାନ୍ତର ହେବେ ଓ କ୍ୱାରାଣ୍ଟାଇନ୍‌ରେ ରହିବେ ନାହିଁ। ଦଳର ବାକି ଖେଳାଳି ପର୍ଯ୍ୟାୟ କ୍ରମେ ଚେନ୍ନାଇରେ ପହଞ୍ଚିବେ ଓ ଏହି ପ୍ରକ୍ରିୟା ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଥାଉ କି ବାଙ୍ଗାଲୋର ୨୦୦୯ରୁ ୨୦୧୬ ମଧ୍ୟରେ ୩ଥର ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟାଇଟଲ ହାସଲ କରିପାରିନାହିଁ।