Jammu Kashmir Terror Attack: ପହଲଗାମ୍‌ ଆକ୍ରମଣ ପରେ ଆସିଲା ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲା

ଇସଲାମାବାଦ୍‌,୨୩।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ପଡ଼ୋଶୀ ଦେଶ ପାକିସ୍ତାନର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମର ଏହି ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ। ଆମେ ସମସ୍ତ ପ୍ରକାରର ଆତଙ୍କବାଦକୁ ପ୍ରତ୍ୟାଖ୍ୟାନ କରୁ ବୋଲି ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି। ଖ୍ବାଜା ଆସିଫ ଅଭିଯୋଗ କରିଛନ୍ତି, ଏହି ଆକ୍ରମଣ ପଛରେ ଭାରତର ଲୋକମାନେ ଅଛନ୍ତି। ସେଠାକାର ଲୋକମାନେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ସେଠାରେ, ନାଗାଲାଣ୍ଡରୁ ମଣିପୁର ଏବଂ କଶ୍ମୀର ପର୍ଯ୍ୟନ୍ତ, ଲୋକମାନେ ସରକାରଙ୍କ ବିରୋଧରେ ଅଛନ୍ତି। ଭାରତରେ ହିନ୍ଦୁତ୍ୱ ସରକାର ଲୋକଙ୍କ ଅଧିକାରକୁ ହତ୍ୟା କରୁଛି। ସେ ସେମାନଙ୍କୁ ଶୋଷଣ କରୁଛନ୍ତି। ଲୋକମାନେ ଏହା ବିରୋଧରେ ଠିଆ ହୋଇଛନ୍ତି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି, ଭାରତର ବର୍ତ୍ତମାନର ସରକାର ସେଠାରେ ରହୁଥିବା ସଂଖ୍ୟାଲଘୁଙ୍କୁ ହଇରାଣ କରୁଛନ୍ତି। ଏଥିରେ ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ମୁସଲମାନ ଅନ୍ତର୍ଭୁକ୍ତ। ଲୋକଙ୍କୁ ହତ୍ୟା କରାଯାଉଛି। ଏହା ବିରୋଧରେ ଲୋକମାନେ ସ୍ବର ଉତ୍ତୋଳନ କରୁଛନ୍ତି। ଏପରି ଘଟଣା ସହିତ ଆମର କୌଣସି ସମ୍ପର୍କ ନାହିଁ। ମୁଁ ଏପରି ଆକ୍ରମଣକୁ ନିନ୍ଦା କରୁଛି। ବିଶେଷକରି ସାଧାରଣ ଲୋକଙ୍କ ଉପରେ ଏପରି ଆକ୍ରମଣ କରାଯିବା ଉଚିତ୍‌ ନୁହେଁ।
ସୂଚନାଯୋଗ୍ୟ, କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍‌ ଜିଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ପ୍ରାକୃତିକ ଶୋଭାରାଜି ପାଇଁ ‘ମିନି ସୁଇଜରଲାଣ୍ଡ’ ଭାବେ ପରିଚିତ ଦକ୍ଷିଣ କଶ୍ମୀରର ମୁଖ୍ୟ ପର୍ଯ୍ୟଟନସ୍ଥଳ ବୈସରନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ସଦସ୍ୟମାନେ ଅନୂ୍ୟନ ୫୦ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏହି ଅତର୍କିତ ଆକ୍ରମଣରେ ଜଣେ ଓଡ଼ିଆ ଓ ୨ ଜଣ ବିଦେଶୀଙ୍କ ସମେତ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରିବା ପାଇଁ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାଉଦି ଗସ୍ତ ଛାଡ଼ି ଭାରତ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରେ ସଦ୍ୟତମ ପରିସ୍ଥିତି ସମ୍ପର୍କରେ ଏକ ବୈଠକ କରିଛନ୍ତି। ଏଥିରେ NSA ଅଜିତ ଡୋଭାଲ ଉପସ୍ଥିତ ଥିଲେ।

Share