ଜୟପୁର, ୯ା୩ (ପି.ଟି.): ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଟ୍ରଫି ସମଗ୍ର ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରେ। ମାତ୍ର ଏହି ଟ୍ରଫିର ନିର୍ମାଣ ଜୟପୁରରେ ହୋଇଥିବା ହୁଏତ୍ ଖୁବ୍ କମ୍ ଜାଣନ୍ତି। ଜୟପୁର ଟ୍ରଫି ଡିଜାଇନର ପାବୁଓ୍ବାଲ କହିଛନ୍ତି, ଟ୍ରଫିର ପ୍ରାରମ୍ଭିକ ଡିଜାଇନ ଅଷ୍ଟ୍ରେଲିଆର ମିନେଲ ବ୍ରାଇସ୍ଙ୍କ ଦ୍ୱାରା ହୋଇଛି। ପାବୁଓ୍ବାଲ କହିଛନ୍ତି ଟ୍ରଫିଟିର ଡିଜାଇନ୍ ଆଉଟଲାଇନ୍ ୨୦୦୭ରେ ପ୍ରସ୍ତୁତ କରାଯାଇଥିଲା, ଯେଉଁ ବର୍ଷ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ର ଉଦ୍ଘାଟନୀ ସଂସ୍କରଣ ହୋଇଥିଲା। ଏହାପରଠାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତାଙ୍କୁ ଟ୍ରଫି ନିର୍ମାଣ ଦାୟିତ୍ୱ ପ୍ରଦାନ କରିଆସୁଛି। ପାବୁଓ୍ବାଲ କହିଛନ୍ତି, ପୂର୍ବରୁ ସେ କ୍ରିକେଟ ପାଇଁ ବିଶ୍ୱର ସର୍ବବୃହତ୍ ରୌପ୍ୟ ଟ୍ରଫି ‘ଫ୍ରେଣ୍ଡଶିପ୍ କପ୍’ର ଡିଜାଇନ୍ କରିଥିଲେ। ଏହା ଆଇସିସିର ଦୃଷ୍ଟି ଆକର୍ଷଣ କରିଥିଲା, ଯାହା ଫଳରେ ଆଇସିସି ତାଙ୍କୁ ଟି୨୦ ବିଶ୍ୱକପ୍ ତିଆରି କରିବା ଲାଗି ବରାଦ କରିଥିଲା। ସେ କହିଛନ୍ତି, ଆଇସିସି ପ୍ରଥମେ ଟିଟାନିୟମ ଓ କାଚର ମିଶ୍ରଣରେ ଏକ ଟ୍ରଫି ତିଆରି କରିବା ଲାଗି ଯୋଜନା କରିଥିଲା, ଯଦ୍ଦ୍ବାରା ଏହି ଡିଜାଇନ ଟି୨୦ କ୍ରିକେଟର ଦ୍ରୁତ ଓ ଆଧୁନିକ ଶୈଳୀକୁ ପ୍ରତିଫଳିତ କରିବ। ଅନେକ ସାମ୍ପଲ ମଡେଲ ପ୍ରସ୍ତୁତ କରାଯାଇଥିଲା। ମାତ୍ର ବହୁ ପରୀକ୍ଷା ନିରୀକ୍ଷା ପରେ ଦେଖାଗଲା ଧାତୁ ସହିତ ମିଶ୍ରଣ କରାଗଲା ବେଳେ କାଚ ଉପାଦାନଗୁଡ଼ିକ ବାରମ୍ବାର ଭାଙ୍ଗିଯାଇଥିଲା। ଏହି ମିଶ୍ରଣ ବୈଷୟିକଭାବେ କାମ କରିବ ନାହିଁ ବୋଲି ସେ ପରାମର୍ଶ ଦେଇଥିଲେ। ଶେଷରେ ପ୍ଲାଟିନମ ପ୍ଲେଟ ସହିତ ରୁପାରେ ତିଆରି କରାଯିବା ଲାଗି ସ୍ଥିର କରାଯାଇଥିଲା। ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ଏହା ଉପଯୁକ୍ତ ଏବଂ ଦୀର୍ଘସ୍ଥାୟୀ ମଧ୍ୟ। ପାବୁଓ୍ବାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୂଳ ଟ୍ରଫିଟି ଆଇସିସିର ମୁଖ୍ୟାଳୟରେ ରଖାଯାଇଛି। ବିଜେତା ଦଳକୁ ସମାନ ପ୍ରତିକୃତିଟିଏ ପ୍ରଦାନ କରାଯାଇଥାଏ। ଟ୍ରଫିଟିର ଉଚ୍ଚତା ହେଉଛି ୨୧ଇଞ୍ଚ, ଓଜନ ୬ କିଲୋଗ୍ରାମ ଏବଂ ଏହା ପ୍ଲାଟିନମ୍ ପ୍ଲେଟିଂ ସହ ରୁପାରେ ନିର୍ମିତ।