ଧୋକା ଦେଲା ଗୁଗଲ ମ୍ୟାପ୍‌ : ଯାଉ ଯାଉ ମନ୍ଦିରରେ ପଶିଗଲା କାର୍‌, ତା’ପରେ…

ଜୟପୁର,୨୭।୧: ରାଜସ୍ଥାନର ଜୟପୁରରେ ସୋମବାର ଗଣତନ୍ତ୍ର ଦିବସରେ, ବିର୍ଲା ମନ୍ଦିରରେ ଏକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯେତେବେଳେ ଜଣେ ପର୍ଯ୍ୟଟକଙ୍କ କାର୍‌ ମନ୍ଦିର ସିଡ଼ିରୁ ଖସିପଡ଼ିବାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଗୁଗଲ ମ୍ୟାପ୍ସ ଉପରେ ନିର୍ଭର କରି ଡ୍ରାଇଭର ରାସ୍ତା ଉପରେ ନଯାଇ ମନ୍ଦିରର ତଳକୁ ଓହ୍ଲାଉଥିବା ସିଡ଼ିରେ କାର୍‌ ଚଳାଇଥିଲେ। ସୌଭାଗ୍ୟବଶତଃ, ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ସ୍ଥାନୀୟ ଭକ୍ତମାନେ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।

ପ୍ରାୟ ଦୁଇ ଘଣ୍ଟା ପରେ, ପୋଲିସ କାର୍‌କୁ ସିଡ଼ିରୁ ବାହାର କରିବାରେ ସଫଳ ହୋଇଥିଲା। ଏହି ସମୟ ମଧ୍ୟରେ ସମଗ୍ର ମନ୍ଦିରରେ ଆତଙ୍କ ଖେଳିଯାଇଥିଲା। ଗୁଗଲ ମ୍ୟାପ୍ସ ଉପରେ ନିର୍ଭର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପୋଲିସ କହିଛି ଯେ ମନ୍ଦିର ପରିସରରେ ପ୍ରବେଶ କରୁଥିବା କାର୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ତଦନ୍ତ କରାଯିବ।

ଗଣତନ୍ତ୍ର ଦିବସରେ ଜୟପୁରର ବିର୍ଲା ମନ୍ଦିରରେ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ। ଏହି ସମୟରେ, ପ୍ରବେଶ ଫାଟକ ଦେଇ ଏକ କାର୍‌ ମନ୍ଦିର ପରିସରରେ ପ୍ରବେଶ କରି ତଳକୁ ଓହ୍ଲାଉଥିବା ସିଡ଼ିରେ ଚଢ଼ିଗଲା। ଡ୍ରାଇଭର ହଠାତ୍‌ ବ୍ରେକ୍‌ ଲଗାଇ ଅଟକିଯାଇଥିଲେ, ଯାହା ଫଳରେ ଉତ୍ତେଜନା ସୃଷ୍ଟି ହେଲା। ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ଉଦ୍ଧାର କରି ପ୍ରାୟ ଦୁଇ ଘଣ୍ଟା ପରେ ତଳକୁ ଆଣିଥିଲା।

ପୋଲିସ ପଚରାଉଚରା ସମୟରେ, ଡ୍ରାଇଭର ସ୍ବୀକାର କରିଛନ୍ତି ଯେ ସେ ଗୁଗଲ ମ୍ୟାପ ବ୍ୟବହାର କରି କାର୍‌ ଚଲାଇଥିଲେ, ଯାହା ତାଙ୍କୁ ମନ୍ଦିର ପାହାଚ ପର୍ଯ୍ୟନ୍ତ ନେଇଯାଇଥିଲା। ସୌଭାଗ୍ୟବଶତଃ, କାର୍‌ଟି ଦ୍ରୁତ ଗତିରେ ଯାଉନଥିଲା, ନଚେତ୍‌ ଏକ ବଡ଼ ଦୁର୍ଘଟଣା ଘଟିପାରିଥାନ୍ତା। ପୋଲିସ କହିଛି ଯେ ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ମନ୍ଦିରର ପରିସ୍ଥିତି ବର୍ତ୍ତମାନ ସ୍ବାଭାବିକ।

Dharitri – The Largest & Most Trusted Odia Daily