ପଳାଅ ନ ହେଲେ ଜେଲ

ଓ୍ବାଶିଂଟନ୍‌,୧୪ା୪: ଆମେରିକାରେ ବିନା ପଞ୍ଜୀକରଣରେ ୩୦ ଦିନରୁ ଅଧିକ ସମୟ ଧରି ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଟ୍ରମ୍ପ୍‌ ପ୍ରଶାସନର ନୂଆ ଛାଟ। ଏଣିକି ଏଭଳି ବିଦେଶୀମାନେ ଆମେରିକା ଛାଡ଼ି ପଳାଇବେ ନଚେତ୍‌ ସେମାନଙ୍କୁ ଜେଲ ଯିବାକୁ ପଡ଼ିବ ବୋଲି ଦେଶର ଗୃହ ସୁରକ୍ଷା ବିଭାଗ (ଡିଏଚ୍‌ଏସ୍‌) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ରେସିପ୍ରୋକାଲ ଟାରିଫ୍‌ ଲାଗୁ କରିବା ସହ ଆପ୍ରବାସନ ନୀତିକୁ କଠୋର କରିଛନ୍ତି। ଏହା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଡିଏଚ୍‌ଏସ୍‌ ପକ୍ଷରୁ ଶନିବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରାଯାଇଥିବା ଏକ ନିର୍ଦ୍ଦେଶନାମା ବେଆଇନ ଆପ୍ରବାସୀଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି କରିଛି। ଡିଏଚ୍‌ଏସ୍‌ ଅନୁଯାୟୀ, ଆମେରିକାରେ ବିନା ପଞ୍ଜୀକରଣରେ ୩୦ ଦିନରୁ ଅଧିକ ସମୟ ରହିବା ଏକ ଅପରାଧ। ଯଦି କୌଣସି ବିଦେଶୀ ନାଗରିକ ବିନା ପଞ୍ଜୀକରଣରେ ରହୁଥିବେ ତାଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଛି। ବେଆଇନ ଏଲିୟନ୍‌ମାନେ ଆମେରିକାରୁ ନ ପଳାଇଲେ ଉଭୟ ଜେଲଦଣ୍ଡ ଭୋଗିବେ ଓ ଜରିମାନା ମଧ୍ୟ ଦେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଅଫିସ୍‌ ଏବଂ ଡିଏଚ୍‌ଏସ୍‌ ସେକ୍ରେଟାରି କ୍ରିଶି ନୋଏମ୍‌ଙ୍କୁ ଉକ୍ତ ପୋଷ୍ଟରେ ଟ୍ୟାଗ୍‌ କରାଯାଇଛି। ଏହି ପୋଷ୍ଟ ସମସ୍ତ ବିଦେଶୀ ଏଲିୟନ୍‌ଙ୍କ ପାଇଁ ସ୍ପଷ୍ଟ ସନ୍ଦେଶ ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଏହି ପଦକ୍ଷେପ ଯୋଗୁ ଏଚ୍‌-ଆଇବି କିମ୍ବା ଷ୍ଟୁଡେଣ୍ଟ ଭିଜା ଭଳି ଆଇନଗତ ଭିଜା ଧାରକଙ୍କ ପରମିଟ୍‌ ଉପରେ ତତ୍କାଳ କୌଣସି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଏହାଦ୍ୱାରା ଆପ୍ରବାସନ ପ୍ରବର୍ତ୍ତନ ନୀତି ଆହୁରି କଠୋର ହୋଇଛି। ତେବେ ଯେଉଁ ଏଚ୍‌-୧ବି ଭିଜା ଧାରକ ଚାକିରି ହରାଇ ଗ୍ରେସ୍‌ ଅବଧି ପରେ ମଧ୍ୟ ଆମେରିକାରେ ରହୁଛନ୍ତି, ସେମାନେ ପ୍ରଭାବିତ ହେବେ। ଯେଉଁମାନେ ଦେଶ ଛାଡ଼ି ନ ଯିବେ, ସେମାନଙ୍କୁ ଦିନକୁ ୯୯୮ ଡଲାର ଜରିମାନା ଦେବାକୁ ପଡ଼ିବ। ଏପରି କି ଭବିଷ୍ୟତରେ ଆମେରିକାକୁ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିବ ନାହିଁ। ସେମାନଙ୍କ ପ୍ରବାସନ ଉପରେ ଆଜୀବନ ରୋକ ଲଗାଯିବ। ଆମତ୍ପ୍ରତ୍ୟର୍ପଣ ସୁରକ୍ଷିତ। ଏହାଦ୍ୱାରା ବିଦେଶୀ ଲାଭାନ୍ବିତ ହେବେ ବୋଲି ଡିଏଚ୍‌ଏସ୍‌ ପକ୍ଷରୁ କୁହାଯାଇଛି।