ନୂଆଦିଲ୍ଲୀ,୩୦।୮: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ଜୁଲାଇ ୨୨ରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ପଛରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ଇସ୍ତଫା ଦେବା ପରେ ଜଗଦୀପ ଧନକର ଆଗକୁ ଆସିନାହାଁନ୍ତି ଏବଂ ତାଙ୍କର କୌଣସି ବିବୃତ୍ତି ମଧ୍ୟ ପ୍ରକାଶ ପାଇନାହିଁ। ଏବେ ସେ ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି।
ବିଧାନସଭା ସଚିବାଳୟ ଧନକରଙ୍କ ଆବେଦନର ଅନୁମୋଦନ ପ୍ରକ୍ରିୟାକୁ ଆଗକୁ ବଢାଇଛି। ଧନକର ରାଜସ୍ଥାନର ଦଶମ ବିଧାନସଭାର ସଦସ୍ୟ ଥିଲେ। ୧୯୯୩ ମସିହାରେ, ସେ କଂଗ୍ରେସ ଟିକେଟରେ ଆଜମେର ଜିଲାର କିଶନଗଡ଼ ଆସନରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ।
ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ କହିଛନ୍ତି, ପୂର୍ବତନ ଉପରାଷ୍ଟ୍ରପତିଙ୍କ ପେନସନ ପାଇଁ ଆବେଦନ ଆସିଛି, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲିଛି। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ, ଜଗଦୀପ ଧନକର ପ୍ରଥମ ଥର କିଛି କାଗଜପତ୍ର ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ, ସେ ଏପର୍ଯ୍ୟନ୍ତ ତାଙ୍କ ବାସସ୍ଥାନ ସମ୍ପର୍କରେ ବିଭାଗରେ ଆବେଦନ କରିନାହାଁନ୍ତି।
ଧନକର ରାଜସ୍ଥାନ ବିଧାନସଭାରେ ବିଧାୟକ ରହିସାରିଛନ୍ତି। ରାଜସ୍ଥାନରେ ପୂର୍ବତନ ବିଧାୟକମାନଙ୍କୁ ପେନସନ ଭାବରେ ୩୫,୦୦୦ ଟଙ୍କା ମିଳିଥାଏ। ଯଦି ପୂର୍ବତନ ବିଧାୟକଙ୍କ ବୟସ ୭୦ ବର୍ଷରୁ ଅଧିକ ହୁଏ, ତେବେ ତାଙ୍କୁ ୮୦ ବର୍ଷ ବୟସରେ ୨୦% ଏବଂ ୩୦% ଅତିରିକ୍ତ ପେନସନ ମିଳିଥାଏ। ଧନକରଙ୍କ ବୟସ ବର୍ତ୍ତମାନ ୭୪ ବର୍ଷ, ତେଣୁ ସେ ୨୦% ଅତିରିକ୍ତ ପେନସନ ସହିତ ପ୍ରାୟ ୪୨,୦୦୦ ଟଙ୍କା ପେନସନ ପାଇବେ।
ଧନକର ତାଙ୍କ ରାଜନୈତିକ କ୍ୟାରିୟରରେ ଅନେକ ପଦବୀରେ ଅଛନ୍ତି। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଝୁନଝୁନୁ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ଏମ୍ପି ଥିଲେ। ଏହା ପରେ, ୧୯୯୩ରେ ସେ କଂଗ୍ରେସ ଟିକେଟରେ କିଶନଗଡ଼ରୁ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଏବଂ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ଭାରତର ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।
ି
ଜଗଦୀପ ଧନକର ସ୍ବାସ୍ଥ୍ୟ କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ତଥାପି, ବିରୋଧୀ ଦଳ ପକ୍ଷରୁ ତାଙ୍କ ଇସ୍ତଫା ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଥିଲା। ଅନ୍ୟପକ୍ଷରେ, ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି, ଜଗଦୀପ ଧନକର ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି।