Categories: Home Leftଖେଳ

ଜାଡେଜା, ଅକ୍ଷରଙ୍କୁ ଟେଷ୍ଟ ଦଳରେ ମିଳିଲା ନାହିଁ ସ୍ଥାନ

ନୂଆଦିଲ୍ଲୀ,୮।୧୨: ସେଞ୍ଚୁରିଆନଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଲାଗି ବିସିସିଆଇ ପକ୍ଷରୁ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। କୋହଲିଙ୍କୁ ଡେପୁଟି ଭାବେ ସହାୟତା କରିବେ ବରିଷ୍ଠ ଓପନର ରୋହିତ ଶର୍ମା। ପୂର୍ବରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା ଅଜିଙ୍କ୍ୟ ରାହାନେ ଖରାପ ଫର୍ମ ଦେଇ ଗତି କରୁଥିଲେ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ସବୁଠୁ ବଡ଼ କଥା ହେଲା ଦଳରେ ଉଭୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ।

ଅନ୍ୟପକ୍ଷରେ ଆହତ ସମସ୍ୟା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍‌ ଖେଳି ନ ଥିବା ଲୋକେଶ ରାହୁଲ ଫିଟ୍‌ ହୋଇ ଦଳକୁ ଫେରିଛନ୍ତି। ତାଙ୍କ ଭଳି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରିଷଭ ପନ୍ତ, ମହମ୍ମଦ ଶାମି, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା। ଏମାନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରୁ ବିଶ୍ରାମ ଦିଆଯାଇଥିଲା। ଜାଡେଜା ଓ ଅକ୍ଷର ଦଳରୁ ବାଦ୍‌ ପଡ଼ିଥିବା ବେଳେ ସ୍ପିନର ଜୟନ୍ତ ଯାଦବ ଓ ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ବ୍ୟାକଅପ୍‌ ଉଇକେଟକିପର ଭାବେ ରିଦ୍ଦିମାନ ଶାହାଙ୍କୁ ଦଳରେ ନିଆଯାଇଛି। ଏହାବାଦ୍‌ ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷରେ ଭାରତ ଏ’ ପାଇଁ ଭଲ ପ୍ରଦର୍ଶନ ପରେ ଦଳକୁ ଫେରିଛନ୍ତି ହନୁମା ବିହାରୀ।

ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶ୍ରେୟାସ ଆୟାର, ହନୁମା ବିହାରୀ, ରିଷଭ ପନ୍ତ ଓ ରିଦ୍ଦିମାନ ଶାହା (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ।