କାର୍ତ୍ତିକଙ୍କ ଫିଲ୍ମରେ ଜ୍ୟାକି

ମୁମ୍ବାଇ: ଆସନ୍ତା ଫେବୃଆରୀ ୧୩ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ’ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜରକୁ ଆସିବେ। ଏବେ ଏହି ଫିଲ୍ମର ଶୁଟିଂ ଜାରି ରହିଛି। ରବିବାର ଫିଲ୍ମକୁ ନେଇ ଏକ ନୂତନ ଅପ୍‌ଡେଟ୍‌ ସାମ୍‌ନାକୁ ଆସିଛି। ଫିଲ୍ମର ଷ୍ଟାର୍‌କାଷ୍ଟରେ ଅଭିନେତା ଜ୍ୟାକି ଶ୍ରଫ୍‌ ଯୋଗଦେଇଛନ୍ତି। ଏନେଇ କାର୍ତ୍ତିକ ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କାର୍ତ୍ତିକ ତାଙ୍କ ପୋଷ୍ଟରେ ଫିଲ୍ମ ଶୁଟିଂ ସେଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ ଜ୍ୟାକି ମଧ୍ୟ ନଜରକୁ ଆସିଛନ୍ତି। ଏହି ଭିଡିଓରେ ଉଭୟ କାର୍ତ୍ତିକ ଏବଂ ଜ୍ୟାକି ଏକ ଗୀତର ତାଳେ ତାଳେ ଝୁମୁଥିବାର ଦେଖାଯାଉଛନ୍ତି। କ୍ୟାପ୍‌ଶନ୍‌ରେ କାର୍ତ୍ତିକ ଲେଖିଛନ୍ତି, ‘ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ’ରେ ଜ୍ୟାକିଙ୍କୁ ସ୍ବାଗତ। ନିଶ୍ଚିତ ଭାବେ ଦର୍ଶକଙ୍କୁ ଏହି ଫିଲ୍ମଟି ପସନ୍ଦ ଆସିବ। ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ସମୀର ବିଦ୍ୱାସ ଦେଉଛନ୍ତି। କରନ୍‌ ଶ୍ରୀକାନ୍ତ ଶର୍ମା ଏହି ଫିଲ୍ମର କାହାଣୀ ଲେଖିଛନ୍ତି। ଫିଲ୍ମରେ ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ନଜରକୁ ଆସିବେ।