Shreyas Iyer captain of Delhi Capitals plays a shot during match 16 of season 13 of the Indian Premier League (IPL ) between the Delhi Capitals and the Kolkata Knight Riders held at the Sharjah Cricket Stadium, Sharjah in the United Arab Emirates on the 3rd October 2020. Photo by: Rahul Gulati / Sportzpics for BCCI
ଶାରଜା,୪।୧୦(ପି.ଟି.): ଅଧିନାୟକ ଶ୍ରେୟାସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍ର ୧୬ତମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ଉଇକେଟ ବିନିମୟରେ ୨୨୮ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୮ ଉଇକେଟ ହରାଇ ୨୧୦ ରନ କରି ପରାସ୍ତ ହୋଇଛି। ଏଥିସହ ଦିଲ୍ଲୀ ମୋଟ ୬ ପଏଣ୍ଟ ହାସଲ କରି ଉନ୍ନତ ରନ୍ ରେଟ୍ରେ ତାଲିକାର ଶୀର୍ଷକୁ ଉଠିଛି। ଚଳିତ ସେସନରେ ଦିଲ୍ଲୀ ନିଜର ସର୍ବାଧିକ ସ୍କୋର ହାସଲ କରିଛି ଓ ଏହା କୋଲକାତା ବିପକ୍ଷରେ ସର୍ବାଧିକ ସ୍କୋର ସାବ୍ୟସ୍ତ ହୋଇଛି। ଅପେକ୍ଷାକୃତ ଏହି ଛୋଟ ଗ୍ରାଉଣ୍ଡରେ ଛକା, ଚୌକାର ବୃଷ୍ଟି ହୋଇଥିଲା। ୨୨୯ ରନର କଷ୍ଟସାଧ୍ୟ ଟାର୍ଗେଟର ପିଛା କରି କୋଲକାତା ଅବଶ୍ୟ ସଂଘର୍ଷ କରିଥିଲା। ଦଳ ତରଫରୁ ନୀତୀଶ ରାଣା ୫୮, ଶୁବମନ ଗିଲ୍ ୨୮, ଆନ୍ଦ୍ରେ ରସେଲ ୧୩, ଅଧିନାୟକ ଦୀନେଶ କାର୍ତ୍ତିକ ୬, ପ୍ୟାଟ୍ କୁମିନ୍ସ ୫, ସୁନୀଲ ନାରିନ ୩, ଇଅନ ମୋର୍ଗାନ ଦ୍ରୁତ ୪୪, ରାହୁଲ ତ୍ରିପାଠୀ ୩୬ ରନକରି ଆଉଟ ହୋଇଥିଲେ। ବୋଲିଂରେ ଦିଲ୍ଲୀ ତରଫରୁ ଅନରିଚ୍ ନୋର୍ଜ ୩, ହର୍ଷଲ ପଟେଲ ୨, କାଗିସୋ ରାବାଡା, ମାର୍କସ ଷ୍ଟୋଇନିସ୍ ଓ ଅମିତ ମିଶ୍ରା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ତରଫରୁ ଦୁଇ ଓପନର ଶିଖର ଧାଓ୍ବନ ଓ ପୃଥ୍ବୀ ଶ ଦ୍ରୁତ ଗତିରେ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲେ। ଅଭିଜ୍ଞ ଧାଓ୍ବନ ୧୬ ବଲରୁ ୨ ଚୌକା ଓ ୨ ଛକା ସହ ୨୬ ରନକରି ବରୁନ ଚକ୍ରବର୍ତ୍ତୀଙ୍କ ବଲ୍ରେ ସ୍କୋୟାର ଲେଗ୍ରେ ଇଅନ ମୋର୍ଗାନଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଏହାପରେ ଯୁବ ଓପନର ପୃଥ୍ବୀ ୪ ଚୌକା ଓ ୪ ଛକା ସହ ୪୧ ବଲରୁ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି କମଳେଶ ନାଗରକୋଟିଙ୍କ ବଲ୍ରେ ଲଙ୍ଗ୍ଅନ୍ରେ ଶୁବମନ ଗିଲଙ୍କୁ କ୍ୟାଚ୍ ଦେଇଥିଲେ। ଉଇକେଟକିପର ରିଷଭ ପନ୍ତ ମଧ୍ୟ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ପ୍ରୟାସ କରି ୧୭ ବଲରୁ ୫ ଚୌକା ଓ ୧ ଛକା ସହ ୩୮ ରନ କରିଥିବା ବେଳେ ଆନ୍ଦ୍ରେ ରସେଲଙ୍କ ବଲ୍ରେ ଲଙ୍ଗ୍ଅନ୍ରେ ଶିବମ୍ ମାଭିଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ମାର୍କସ ଷ୍ଟୋଇନିସ୍ ୧ ରନକରି ରସେଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶିମରନ ହେଟମେୟର ୭ ରନ କରି ଅପରାଜିତ ରହିଥିଲେ। ପୁରା ଇନିଂସରେ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଘଟଣା ଥିଲା। ଆୟାର ମାତ୍ର ୩୮ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୬ ଛକା ସହ ଦ୍ରୁତ ୮୮ ରନକରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ ପଡିଆର ଚତୁର୍ଦ୍ଦିଗକୁ ଶଟ୍ମାନ ଖେଳିଥିଲେ। ଅନ୍ତିମ ଓଭରରେ ନନ୍ ଷ୍ଟ୍ରାଇକର ଏଣ୍ଡ୍ରେ ରହିବାରୁ ସେ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ବୋଲିଂରେ କୋଲକାତା ତରଫରୁ ରସେଲ ୨, ବରୁଣ ଚକ୍ରବର୍ତ୍ତୀ ଓ ନାଗରକୋଟି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୨୮/୪
(ଆୟାର- ୮୮*, ପୃଥ୍ବୀ- ୬୬, ପନ୍ତ- ୩୮, ଧାଓ୍ବନ- ୨୬, ରସେଲ- ୨/୨୯, ନାଗରକୋଟି- ୧/୩୫, ବରୁଣ ଚକ୍ରବର୍ତ୍ତୀ-୧/୪୯)।
କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୧୦/୮
(ରାଣା- ୫୮, ମୋର୍ଗାନ- ୪୪, ତ୍ରିପାଠି- ୩୬, ଶୁବମନ- ୨୮, ହର୍ଷଲ- ୨/୩୪, ରାବାଡା- ୧/୫୧, ନୋର୍ଜ- ୩/୩୩, )