ଇଭାଙ୍କା ଟ୍ରମ୍ପ୍‌ଙ୍କୁ ଜେରା

ଓ୍ବାଶିଂଟନ, ୭।୪:ଗତବର୍ଷ ଜାନୁୟାରୀ ୬ କ୍ୟାପିଟୋଲ ହିଂସା ଘଟଣାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ଙ୍କୁ ତଦନ୍ତକାରୀ କମିଟି ଜେରା କରିଛି। ସଂସଦୀୟ କମିଟି ଆଗରେ ମଙ୍ଗଳବାର ଇଭାଙ୍କା ହାଜର ହେବା ପରେ ତାଙ୍କୁ ୮ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏହା ପୂର୍ବରୁ ଉକ୍ତ କମିଟି ତାଙ୍କ ସ୍ବାମୀ ଜାରେଡ୍‌ କୁଶ୍‌ନରଙ୍କ ବୟାନ ରେକର୍ଡ କରିଥିଲା। ଘଟଣା ସମୟରେ ଇଭାଙ୍କା ଏବଂ ଜାରେଡ୍‌ ହ୍ବାଇଟ୍‌ ହାଉସ୍‌ର ପରାମର୍ଶଦାତା ଥିଲେ। କ୍ୟାପିଟୋଲ ଦଙ୍ଗାବେଳେ ଉଭୟେ ହିଂସାକାରୀଙ୍କୁ ରୋକିବାକୁ ଟ୍ରମ୍ପ୍‌ଙ୍କୁ କହିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏ ପର୍ଯ୍ୟନ୍ତ ଏହି କମିଟି ଶତାଧିକ ଲୋକଙ୍କୁ ଜେରା କରି ବହୁ ଦସ୍ତାବିଜ୍‌ ଏକାଠି କରିଛି।