Categories: Home Leftଖେଳ

ଫିଫା ବିଶ୍ୱକପ୍‌ ବିଜେତା ଇଟାଲି ତାରକା ପାଓଲୋ ରୋସିଙ୍କ ଦେହାନ୍ତ

ଜୁଭେଣ୍ଟସ,୧୦।୧୨- ଆର୍ଜେଣ୍ଟିନାର କିମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନାଙ୍କ ବିୟୋଗ ବିଶ୍ୱ ଫୁଟ୍‌ବଲ ମନରୁ ଲିଭି ନ ଥିବା ବେଳେ ଛାଡ଼ି ଚାଲି ଯାଇଛନ୍ତି ଆଉ ଜଣେ ମହାନ ଫୁଟବଲର। ଇଟାଲିର ପୂର୍ବତନ ଚାମ୍ପିୟନ ଷ୍ଟ୍ରାଇକର ପାଓଲୋ ରୋସିଙ୍କ ଗୁରୁବାର ମୃତ୍ୟୁ ଘଟିଛି। ମାତ୍ର ୬୪ ବର୍ଷ ବୟସରେ ୧୯୮୨ ବିଶ୍ୱକପ୍‌ର ସର୍ବାଧିକ ଗୋଲ ସ୍କୋରର ଏକ ଭିନ୍ନ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି। ଏ ନେଇ ସୂଚନା ଦେଇଛି ଇଟାଲିଆନ ଟିଭି ଚ୍ୟାନେଲ ଆରଏଆଇ ସ୍ପୋର୍ଟ। ଏହି ଚ୍ୟାନେଲରେ ପାଓଲୋ ଜଣେ ଫୁଟବଲ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ।

ରୋସିଙ୍କ ପ୍ରତିନିଧିତ୍ୱରେ ଜୁଭେଣ୍ଟସ ଦୁଇ ଥର ସିରି ଏ ଟାଇଟଲ ଜିତିବା ସହ ହାତେଇଥିଲା ଗୋଟିଏ ଲେଖାଏ ୟୁରୋପିଆନ କପ୍‌ ଓ କୋପା ଇଟାଲିଆ ଟ୍ରଫି । କିନ୍ତୁ ସ୍ପେନରେ ଖେଳାଯାଇଥିବା ୧୯୮୨ ବିଶ୍ୱକପ୍‌ରେ ଚାମ୍ପିୟନ ଦଳ ଲାଗି ଏକ ହ୍ୟାଟ୍ରିକ ସହାୟତାରେ ସ୍କୋର କରିଥିଲେ ୬ଟି ଗୋଲ। ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁ ତାଙ୍କୁ ମିଳିଥିଲା ଗୋଲ୍ଡେନ ବୁଟ ଓ ଗୋଲ୍ଡନ ବଲ। ବିଶ୍ୱକପ୍‌ ଇତିହାସରେ ଜଣେ ଖେଳାଳିଙ୍କ ଲାଗି ଏହା ଶ୍ରେଷ୍ଠ ପ୍ରଦର୍ଶନ। ତାଙ୍କୁ ସେହି ବର୍ଷ ବାଲୋନ ଡି’ ଅର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ପୂର୍ବରୁ ମ୍ୟାଚ୍‌ ଫିକ୍ସିଂ ପାଇଁ ତାଙ୍କୁ ଦୁଇ ବର୍ଷ ବାସନ୍ଦ କରାଯାଇଥିଲା।