Categories: Home Leftଖେଳ

‘ସହଜରେ ମିଳି ନ ଥିଲା ବିଜୟ’

ଜେୟପୁର,୧୮।୧୧: ସଓ୍ବାଇ ମାନ ସିଂ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। କିନ୍ତୁ ମ୍ୟାଚ୍‌ରେ ଦଳକୁ ସହଜରେ ବିଜୟ ମିଳି ନ ଥିବା ସ୍ବୀକାର କରିଛନ୍ତି ଅଧିନାୟକ ରୋହିତ ଶର୍ମା।

୧୬୫ ରନ୍‌ର ପିଛା କରୁଥିବା ଭାରତ ଏକଦା ଭାରତ ୧୨ ଓଭରରେ ୧ ଉଇକେଟ ହରା ୧୦୯ ରନ୍‌ କରିଥିଲା। ଏଭଳି ସୁବିଧାଜନକ ସ୍ଥିତି ସତ୍ତ୍ୱେ ଟିମ୍‌ ଇଣ୍ଡିଆକୁ ମ୍ୟାଚ୍‌ ଜିତିବା ପାଇଁ ଅନ୍ତିମ ଓଭର ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିଥିଲା। ଶେଷରେ ଚୌକା ଲଗାଇ ଘରୋଇ ଦଳକୁ ମ୍ୟାଚ୍‌ ଜିତାଇଥିଲେ ରିଷଭ ପନ୍ତ।

”ଆମେ ଯେତେ ସହଜରେ ମ୍ୟାଚ୍‌ ଜିତିବାକୁ ଆଶା ରଖିଥିଲୁ, ତାହା ହେଲା ନାହିଁ। ଏଭଳି ମ୍ୟାଚ୍‌ରୁ ଖେଳାଳିମାନେ ଅନେକ କିଛି ଶିକ୍ଷା କରିଥିବେ। ସର୍ବଦା ପାଓ୍ବର ହିଟିଂକୁ ଭରସା କଲେ ହେବ ନାହିଁ, ଆବଶ୍ୟକତା ଅନୁଯାୟୀ ଖେଳିବା ଦରକାର। ଯୁବ ଖେଳାଳିମାନେ ମ୍ୟାଚ୍‌ ଶେଷ କରିଥିବାରୁ ଜଣେ ଅଧିନାୟକ ଭାବେ ମୁଁ ଆନନ୍ଦିତ। ଆମ ପାଇଁ ଏକ ଭଲ ମ୍ୟାଚ୍‌ ଥିଲା। କିଛି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା। ମାତ୍ର ଏହା ଅନ୍ୟ ଖେଳାଳିଙ୍କ ପାଇଁ ସେମାନଙ୍କ ଦକ୍ଷତା ଦେଖାଇବା ଲାଗି ଏକ ସୁଯୋଗ“ ବୋଲି ମ୍ୟାଚ୍‌ ପରେ ଟି୨୦ ଦଳର ନୂଆ ଅଧିନାୟକ ରୋହିତ କହିଛନ୍ତି।