ଘୋଷଣା ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ସମୟ

ଅଯୋଧ୍ୟା,୨୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୨ରେ, ଅଭିଜିତ ମୁହୁର୍ତ୍ତ ମୃଗଶିରା ନକ୍ଷତ୍ରରେ ରାତି ୧୨ଟା ୨୦ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏହି କାର୍ଯ୍ୟକୁ ଏକ ଆନ୍ତର୍ଜାତୀୟ ରୂପ ଦେବା ପାଇଁ ରବିବାର ସାକେତ ନିଳୟମଠାରେ ସଂଘ ପରିବାରର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମାରୋହର ଅଭିଯାନକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରି ପ୍ରସ୍ତୁତି ଅଗ୍ରଗତି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହାର ପ୍ରଥମ ପର୍ଯ୍ୟାୟ ରବିବାରଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ପର୍ଯ୍ୟନ୍ତ ଚାଲିବ। ଏଥିରେ, କାର୍ଯ୍ୟର ଆକ୍ସନ ପ୍ଲାନର ଏକ ବାହ୍ୟରେଖା ପ୍ରସ୍ତୁତ ହେବ। ଏଥିପାଇଁ ଛୋଟ ସଞ୍ଚାଳନ ସମିତି ଗଠନ କରାଯିବ। ଜିଲା ତଥା ବ୍ଲକ ସ୍ତରରେ ପ୍ରତ୍ୟେକ ୧୦ଜଣିଆ ଗୋଷ୍ଠୀ ଗଠନ କରିବାକୁ ସହମତି ପ୍ରକାଶ ପାଇଛି।
ମନ୍ଦିର ଆନ୍ଦୋଳନର କରସେବକଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯିବ। ଗୋଷ୍ଠୀଗୁଡିକ ୨୫୦ ସ୍ଥାନରେ ବୈଠକ କରିବେ ଏବଂ ଏହି କାର୍ଯ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଜଡିତ କରିବାକୁ ଆବେଦନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ। ଏଥିରେ ଦ୍ୱାର-ଦ୍ୱାର ଯୋଗାଯୋଗ ଯୋଜନା ଅଧୀନରେ ୧୦କୋଟି ପରିବାରରେ ପୂଜାପାଠ ହୋଇଥିବା ଅକ୍ଷତ, ରାମଲଲାଙ୍କ ପ୍ରତିମାର ଏକ ଫଟୋ ଏବଂ ଲିଫଲେଟ ଦିଆଯିବ।
ଏହା ମାଧ୍ୟମରେ ଲୋକମାନେ ଉତ୍ସବ ଦିନ ଦିପୋତ୍ସବ ପାଳନ କରିବାକୁ ନିବେଦନ କରିବେ। ଜାନୁଆରୀ ୨୨କୁ ତୃତୀୟ ପର୍ଯ୍ୟାୟରେ ରଖାଯାଇଛି । ସେହି ଦିନ ଏପରି ପରିବେଶ ସୃଷ୍ଟି ହେବ ଯେ ସାରା ଦେଶରେ ଉତ୍ସବ ପାଳନ ହେବ ଏବଂ ପ୍ରତ୍ୟେକ ଘରେ ରୀତିନୀତି ଅନୁଷ୍ଠିତ ହେବ। ଚତୁର୍ଥ ପର୍ଯ୍ୟାୟରେ ସାରା ଦେଶରେ ଭକ୍ତମାନଙ୍କୁ ରାମଲଲାଙ୍କ ଦର୍ଶନ ଯୋଗାଇବାର ଯୋଜନା ରହିଛି। ଏହି ପର୍ଯ୍ୟାୟ ଗଣତନ୍ତ୍ର ଦିବସରୁ ଆରମ୍ଭ ହୋଇ ୨୨ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ପ୍ରଦେଶବ୍ୟାପି ପରିଚାଳିତ ହେବ। ୩୧ ଜାନୁୟାରୀ ଏବଂ ୧ ଫେବୃୟାରୀରେ ଅବଧ ପ୍ରଦେଶର କର୍ମୀଙ୍କୁ ଦର୍ଶନ ଦେବା ପାଇଁ ଯୋଜନା ଅଛି।

Share
Tags: Ramlala