ଚାଇନା ଗୋଇନ୍ଦା ବେଲୁନ୍‌କୁ ଖସାଇବା ସହଜ ନୁହେଁ

ଓ୍ବାଶିଂଟନ,୫।୨: ଆମେରିକାର ସମ୍ବେଦନଶୀଳ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଗଚ୍ଛିତ ରହିଥିବା ସ୍ଥାନ ଉପରେ ଚାଇନାର ପ୍ରଥମ ଗୋଇନ୍ଦା ବେଲୁନ୍‌ ଉଡ଼ୁଥିବା ପେଣ୍ଟାଗନ ଠାବ କରିଛି। ଏହା ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍‌ନୋଲୋଜି ଦ୍ୱାରା ପରିଚାଳିତ ହୋଇଥାଇପାରେ ବୋଲି ଆମେରିକା ବିଶେଷଜ୍ଞ କହିଛନ୍ତି। ଏହାର କିଛି ଘଣ୍ଟା ପରେ ଲାଟିନ୍‌ ଆମେରିକା ଉପରେ ଚାଇନାର ଦ୍ୱିତୀୟ ଗୁପ୍ତଚର ବେଲୁନ୍‌ ଠାବ ହୋଇଛି। ଏହା ପୂର୍ବଦିଗରେ ଗତିକରି କେନ୍ଦ୍ରୀୟ ଆମେରିକା ଆଡ଼େ ମୁହାଁଇଛି। ଏହି ବେଲୁନ୍‌ଗୁଡ଼ିକ ପର୍ଯ୍ୟବେକ୍ଷଣର ମୂଲ୍ୟବାନ୍‌ ମାଧ୍ୟମ, ଯାହାକୁ ଗୁଳିକରି ଖସାଇବା ସହଜ ନୁହେଁ ବୋଲି ଓ୍ବାଶିଂଟନର ମାରାଥନ ଇନିସିଏଟିଭ୍‌ ଥିଙ୍କ୍‌ଟ୍ୟାଙ୍କର ସର୍ଭିଲାନ୍ସ ବେଲୁନ୍‌ ବିଶେଷଜ୍ଞ ଓ୍ବିଲିୟମ୍‌ କିମ୍‌ କହିଛନ୍ତି। ପ୍ରଥମଟି ଏକ ଜଳବାୟୁ ବେଲୁନ୍‌ ଭଳି ଦେଖାଯାଉଥିଲେ ହେଁ ଏହାର ଭିନ୍ନ ବିଶେଷତ୍ୱ ରହିଛି। ବୃହତ ସୋଲାର ପ୍ୟାନେଲ ଶକ୍ତିରେ ପରିଚାଳିତ ଏହି ବେଲୁନ୍‌ ଏକ ବୃହତ ପ୍ଲେଲୋଡ୍‌। ମାର୍ଗଦର୍ଶନ ଓ ତଥ୍ୟ ସଂଗ୍ରହ ଲାଗି ଏଥିରେ ଇଲେକ୍ଟ୍ରୋନିକ୍‌ ସରଞ୍ଜାମ ରହିଛି। ଚାଇନାର ଗୁପ୍ତଚରଗିରି ଉଦ୍ୟମ ବଢ଼ିବାରେ ଲାଗିଥିବାରୁ ଆମେରିକାର ସୁରକ୍ଷା ଅଧିକାରୀମାନେ ଲଗାତର ସତର୍କ କରାଇଆସୁଛନ୍ତି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ ଆସନ୍ତା ୫-୬ରେ ଚାଇନା ଯିବାର କାର୍ଯ୍ୟକ୍ରମ ଥିବାବେଳେ ସନ୍ଦିଗ୍ଧ ବେଲୁନ୍‌ର ଉପସ୍ଥିତିକୁ ଦେଖି ପାଗ ଅନୁକୂଳ ନ ଥିବା ଦର୍ଶାଇ ତାଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି।

Share