ଗୋପପୁର ବିନା ଧନୁଯାତ୍ରା ମହୋତ୍ସବର ପରିକଳ୍ପନା ଅସମ୍ଭବ

ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ ଚାଲିବ। ଗୋପପୁର ବିନା ଧନୁଯାତ୍ରା ମହୋତ୍ସବର ପରିକଳ୍ପନା ଅସମ୍ଭବ। ଏହି ଦୃଷ୍ଟିରୁ ଧନୁଯାତ୍ରା ମହୋତ୍ସବ ଚାଲିଥିବାବେଳେ ବରଗଡ଼ ସହର ମଥୁରାନଗରୀ ପାଲଟୁ ଥିବାବେଳେ ଅମ୍ବାପାଲି ଗୋପପୁର ହୋଇଥାଏ। ମଝିରେ ପ୍ରବାହିତ ଜୀରାନଦୀ ଯମୁନା ରୂପ ନେଇଥାଏ। ତେବେ ବରଗଡ଼ ସହର ହାଟପଦାରେ ଇତିମଧ୍ୟରେ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ ହୋଇ ସାରିଥିବାବେଳେ ସୋମବାର ସନ୍ଧ୍ୟାରେ ଅମ୍ବାପାଲି(ଗୋପପୁର)ରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି। ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଜୀରାନଦୀ କୂଳ କଦମ୍ବ ବନକୁ ପହଞ୍ଚିଥିଲା। ସେଠାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହି ଅବସରରେ ଶ୍ରୀରାଧା, ଶ୍ରୀକୃଷ୍ଣ ଏବଂ ବଳରାମ କଳାକାରଙ୍କୁ ବରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପୌର ପରିଷଦ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, କାଉନ୍‌ସିଲର ଗୀତାଞ୍ଜଳି ବାଗ, ନାରାୟଣ ଭୋଇ, ଈଶ୍ୱର ବାଗ, ଦୟାନିଧି ପ୍ରଧାନ, ପଞ୍ଚାନନ ବିର୍ତ୍ତିଆ, ସୁନୀଲ ଶର୍ମା, ଶିବାନନ୍ଦ ମଟାରୀ, ରାଜକୁମାର ବିଶି ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share