ସାଇବର ଠକଙ୍କୁ ସହଯୋଗ କରିବା ପଡ଼ିଲା ମହଙ୍ଗା

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ପାଟଣା ଥାନା ସାହାରପଡ଼ାରୁ ସାଇବର ଠକଙ୍କୁ ସିମ୍‌କାର୍ଡ ବିକିବା ଅଭିଯୋଗରେ ୩ ଜଣଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅଧୀନ ମିଟୁଆଣି ଗ୍ରାମର ସତ୍ୟଜିତ୍‌ ସିଦ୍ଧାର୍ଥ ବାରିକ (୨୧), ଆନନ୍ଦପୁର ଥାନା କଞ୍ଚାସାହିର ଜ୍ଞାନଦୀପ ମହାପାତ୍ର (୨୨) ଓ ଘଷିପୁରା ଥାନାର ଖଡ଼ିବିଲର ତପନ ଜେନା (୩୧)।

ସୂଚନା ମୁତାବକ, ସେମାନେ ଧୀରଜ କୁମାର ମହାନ୍ତଙ୍କ ନାମରେ ବହୁ ସଂଖ୍ୟାରେ ମୋବାଇଲ ସିମ୍‌ କାର୍ଡ ବାହାର କରିଥିଲେ। ସେସବୁ ସାଇବର ସମ୍ପର୍କିତ ଠକେଇ ପାଇଁ ସାଇବର ଅପରାଧୀଙ୍କୁ ସହାୟତା କରିଥିଲେ।

ସମୁଦାୟ ୧୧୪ଟି ସିମ୍‌ କାର୍ଡ ଧୀରଜ କୁମାର ମହାନ୍ତଙ୍କ ନାମରେ ସକ୍ରିୟ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ମୁଖ୍ୟ ନିର୍ବାହୀ ଅଧିକାରୀ ଇଣ୍ଡିଆନ ସାଇବର କ୍ରାଇମ କୋ ଅର୍ଡିନେଶନରୁ ଗତ ମାର୍ଚ୍ଚ ୨୩ରେ କେନ୍ଦୁଝର ପୋଲିସ ଏ ସଂକ୍ରାନ୍ତରେ ସୂଚନା ପାଇଥିଲା।

ଏହାର ଯାଞ୍ଚକରି କେନ୍ଦୁଝର ସାଇବର ଅପରାଧ ଶାଖା ଥାନାରେ ଏକ ମାମଲା(ନଂ. ୧୦/୨୦୨୫) ରୁଜୁକରି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୋଲିସ ସେମାନଙ୍କ ନିକଟରୁ ସତ୍ୟଜିତ୍‌ ସିଦ୍ଧାର୍ଥ ବାରିକଙ୍କ ନାମରେ ଆଧାର କାର୍ଡର ଜେରକ୍ସ କପି, ୩ ମୋବାଇଲ, ଫିଙ୍ଗର ପ୍ରିଣ୍ଟ ସ୍କାନର, ଜ୍ଞାନଦୀପ ମହାପାତ୍ରଙ୍କ ନାମରେ ଆଧାରକାର୍ଡ ଜେରକ୍ସ କପି ଜବତ କରି ଅଧିକ ତଦନ୍ତ କରୁଛି।