ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ ଶ୍ବଶୁର ଘର ଲୋକେ ଯୋଜନାବଦ୍ଧ ଭାବେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାଙ୍କ ମା’ ସବିତା ସ୍ବାଇଁଙ୍କ ଏତଲା କ୍ରମେ ଥାନା ମାମଲା ନଂ.୩୯/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା – ୮୦/୮୫/୧୦୩(୧)/୩(୫) ଏବଂ ଯୌତୁକ ନିରୋଧ ଆଇନ ଧାରା – ୪ ଅନୁଯାୟୀ ଗୁରୁବାର ସନ୍ଧ୍ୟାଙ୍କ ସ୍ବାମୀ ତଥା ଅଭିଯୁକ୍ତ ଅଜିତ ବିଷୋୟୀଙ୍କୁ ତଦନ୍ତକାରୀ ଅଧିକାରୀ ଏସଆଇ ସୋଫିଆ ମିଶ୍ର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବ୍ରହ୍ମପୁରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଜିତଙ୍କ ଘର ଭିତରୁ କୀଟନାଶକ ପ୍ୟାକେଟ ଖୋଳ, ବିଷ ପ୍ରକ୍ରିୟା ପରେ ସନ୍ଧ୍ୟା କରିଥିବା ବାନ୍ତି ଓ ତାଙ୍କ ପିନ୍ଧା ଲୁଗାକୁ ଜବତ କରି ପରୀକ୍ଷା ନିମନ୍ତେ ଫରେନ୍ସିକ ଲାବ୍ରୋଟରୀକୁ ପଠାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଏହି ଘଟଣାରେ ଶ୍ବଶୁର ନିରଞ୍ଜନ ବିଷୋୟୀ, ଶାଶୁ ଓ ଦିଅର ଫେରାର୍ ଥିବା ଜଣାପଡିଛି।ଗତ ୨୦୨୧ ଡିସେମ୍ବର ୧୧ ତାରିଖରେ କୁକୁଡ଼ାଖଣ୍ଡି ବ୍ଲକ ଲାଠି ଗ୍ରାମର କାଳିଆ ସ୍ବାଇଁଙ୍କ ଝିଅ ସନ୍ଧ୍ୟା ଜକରାପଲ୍ଲୀ ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ଅଜିତଙ୍କୁ ବିବାହ କରିଥିଲେ। ତାଙ୍କ ୪ ବର୍ଷ ବୟସର ଏକ ପୁତ୍ର ସନ୍ତାନ ଅଛି। ସନ୍ଧ୍ୟା ଅନ୍ୟ ଜଣେ ଯୁବକଙ୍କ ସହ ସଦା ସର୍ବଦା ଫୋନରେ କଥା ହେଉଥିବାରୁ ସ୍ବାମୀ ଅଜିତ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ଅଜିତ ଏନେଇ ତାଙ୍କ ଶାଶୁ, ଶ୍ବଶୁରଙ୍କୁ ଜଣାଇଥିଲେ। ତଥାପି ସନ୍ଧ୍ୟା ନ ସୁଧୁରିବା କାରଣରୁ ଅଜିତ ତାଙ୍କୁ ଏକାଧିକ ଥର ମାଡ଼ ମାରିବା ସହ ବାପ ଘରୁ ଅଧିକା ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ। ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି ସେ ଲାଠି ଗ୍ରାମ ସ୍ଥିତ ବାପ ଘରକୁ ଚାଲିଯାଇଥିଲେ। ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଅଜିତ କିଛିଦିନ ପୂର୍ବେ ନିଜ ଗାଁକୁ ଫେରିବା ପରେ ଶ୍ବଶୁର ଘରକୁ ଯାଇଥିଲେ। ଘରେ ଶ୍ରାଦ୍ଧ ଭୋଜି ଥିବା କହି ସନ୍ଧ୍ୟାଙ୍କୁ ତାଙ୍କ ଘରକୁ ପଠାଇବାକୁ ଶାଶୁଙ୍କୁ କହିଥିଲେ। ଗତ ୧ ତାରିଖରେ ସନ୍ଧ୍ୟାଙ୍କ ଭାଇ ବିଜୁଳି ସ୍ବାଇଁ ଭଉଣୀ ଓ ଭଣଜାଙ୍କୁ ସାଙ୍ଗରେ ଆଣି ଜକରାପଲ୍ଲୀ ଗାଁରେ ଛାଡିଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ସନ୍ଧ୍ୟାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଖବର ପାଇ ସନ୍ଧ୍ୟାଙ୍କ ବାପ ଘର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ଜାଣିଥିଲେ। ପରେ ସନ୍ଧ୍ୟାଙ୍କ ମା’ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।