୯ବର୍ଷ ହେଲା ନେତା ରଖିଲେନି ପ୍ରତିଶ୍ରୁତି-ତିଆରି ହେଲାନି ପୋଲ; ଲୋକସଭା ନିର୍ବାଚନରେ ଭୋଟ ବର୍ଜନ କରିବେ ୩୦୦ ଭୋଟର

ଇଟାନଗର,୮।୮: ଆଉ କେତେଟା ମାସ ପରେ ରାଜ୍ୟରେ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ। ପୁଣି ଆଗକୁ ଅଛି ୨୦୨୪ ଲୋକସଭା ନିର୍ବାଚନ। ନିର୍ବାଚନକୁ ନେଇ ନେତାଠୁ ନେଇ ମନ୍ତ୍ରୀ ସମସ୍ତେ ତତ୍ପର। କିନ୍ତୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ ଜିଲାରେ ଅବସ୍ଥିତ ତିନୋଟି ଗାଁର ଗ୍ରାମବାସୀ ଦେବେନି ଭୋଟ୍‌। ଗ୍ରାମବାସୀଙ୍କର ଏହି କଠୋର ନିପେତ୍ତିର କାରଣ ପ୍ରଶାସନର ଅବହେଳା ଏବଂ ମିଛ ପ୍ରତିଶ୍ରୁତି। ୨୦୧୪ରୁ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଆସୁଛନ୍ତି। ହେଲେ ଦାବିକୁ କର୍ଣ୍ଣପାତ କରୁନି ପ୍ରଶାସନ। ତେବେ ଏଭଳି ପରିସ୍ଥିତିରେ ଆଗାମୀ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ରୋକଠୋକ୍‌ ଶୁଣେଇ ଦେଇଛନ୍ତି ଗ୍ରାମବାସୀ।

ଏହି ୩ଟି ଗ୍ରାମର ଜନସଂଖା ପ୍ରାୟ ୪୦୦ ହୋଇଥିବାବେଳେ ୩୦୦ଭୋଟର ରହିଛନ୍ତି। ଗ୍ରାମରେ ପୋଲ ନ ତିଆରି ହେବାରୁ ବର୍ଷାଦିନେ ନଦୀ ପାଣି ଫୁଲି ରାସ୍ତା ଉପରେ ପାଣି ଚାଲୁଛି। ଯାହାଯୋଗୁ ପିଲାଏ ସ୍କୁଲ ଯିବାକୁ ହଇରାଣ ହେବା ସହ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଛି। ରାସ୍ତା ଏତେ ଖରାପ ଯେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ମଧ୍ୟ ସୁବିଧା ନାହିଁ। ତେବେ ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କ ସାମ୍ନାରେ ଅନେକ ଥର ଦାବି ରଖିଥିଲେ ମଧ୍ୟ ବିଧାୟକ ଶୁଣୁ ନାହାନ୍ତି। ତେବେ ଗ୍ରାମବାସୀ କହିଛନ୍ତି ଯେ, ବର୍ତ୍ତମାନ ସେମାନଙ୍କର ଶେଷ ଆଶା ହେଉଛନ୍ତି ସ୍ଥାନୀୟ ସାଂସଦ କିରେନ ରିଜିଜୁ। ସେ ଯଦି ତାଙ୍କ ଦାବି ନ ଶୁଣନ୍ତି ଦେବେ ୩ଟି ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି।

Share