ବଢୁଛି ଓମିକ୍ରନ ଚିନ୍ତା, ହୋଇପାରେ ଲକ୍‌ଡାଉନ୍‌

ଆମଷ୍ଟରଡାମ୍‌,୧୮ା୧୨: କେତେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନେଦରଲ୍ୟାଣ୍ଡରେ ଲକ୍‌ଡାଉନ୍‌ ଲାଗୁ କରାଯାଇପାରେ। ନୂଆ ରଣନୀତି ଉପରେ ନେଦରଲ୍ୟାଣ୍ଡ ସରକାରଙ୍କୁ ପରାମର୍ଶ ଦେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଠାରେ କଡ଼ା ଲକ୍‌ଡାଉନ୍‌ କରିବାକୁ ପରାମର୍ଶ ଦେଇଛନ୍ତି। ଜାନୁୟାରୀ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ ବୃଦ୍ଧି ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ହୁଗୋ ଦେ ଜୋଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ, ଓମିକ୍ରନର ବୃଦ୍ଧି ହେତୁ ସରକାର ଚିନ୍ତିତ ଅଛନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକୁ ସରକାର ପାଳନ କରିବେ। ନୂତନ ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ଙ୍କ ସରକାର ଶନିବାର ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ, କରୋନା ମହାମାରୀ ବିରୋଧରେ ଲଢ଼େଇରେ କୋଭୋଭ୍ୟାକ୍ସ ଟିକା ଆକାରରେ ବିଶ୍ୱକୁ ଆଉ ଏକ ଅସ୍ତ୍ର ମିଳିଛି। ଏହି ଟିକାକରଣର ଜରୁରିକାଳୀନ ବ୍ୟବହାରକୁ ଶୁକ୍ରବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁମୋଦନ କରିଛି। ପୁଣେରେ ଅବସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (SII) ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ନୋଭାଭାକ୍ସର ଲାଇସେନ୍ସ ଅନୁଯାୟୀ ଭାରତରେ ଏହି ଟିକା ପ୍ରସ୍ତୁତ କରୁଛି।

Share