ଡିସେମ୍ବର ୧୭ରେ ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ: ପାଗ ଉପରେ ଭରସା

ହାଇଦ୍ରାବାଦ୍‌,୧୨।୧୨: ପାଗ ଭଲ ରହିଲେ ଇସ୍ରୋ ପକ୍ଷରୁ ଡିସେମ୍ବର ୧୭ରେ ସିଏମ୍‌ଏସ୍‌-୦୧ ଉପଗ୍ରହକୁ ମହାକାଶକୁ ଉତ୍‌କ୍ଷେପଣ କରାଯିିବ। ଏନେଇ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୁର ଜିଲାର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ପ୍ୟାଡ୍‌ରୁ ଏହାକୁ ଅପରାହ୍ନ ୩ଟା ୧୪ରେ ଉତ୍‌କ୍ଷେପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଗତ କିଛି ସପ୍ତାହ ଧରି ଦକ୍ଷିଣ ଭାରତରେ ବର୍ଷା ଲାଗି ରହିଛି। ତେଣୁ ଆକାଶ ନିର୍ମଳ ଏବଂ ପାଗ ଭଲ ରହିଲେ ଉପଗ୍ରହକୁ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ପିଏସ୍‌ଏଲ୍‌ଭି-ସି-୫୦ ରକେଟ ଦ୍ୱାରା ଏହି ଯୋଗାଯୋଗ ଉପଗ୍ରହକୁ ଉତ୍‌କ୍ଷେପଣ କରାଯିବ। ସିଏମ୍‌ଏସ୍‌-୦୧ର କାର୍ଯ୍ୟ କରିବା ସମୟ ସୀମା ୭ ବର୍ଷ ରହିଛି। ଏହା ଜିସାଟ୍‌-୧୨ ସ୍ଥାନରେ କାର୍ଯ୍ୟ କରିବ। ଜିସାଟ୍‌-୧୨ ଉପଗ୍ରହ ୨୦୧୧ ଜୁଲାଇ ୧୧ରେ ଉତ୍‌କ୍ଷେପଣ କରାଯାଇଥିଲା।