୨୦୨୮ରେ ଚନ୍ଦ୍ରୟାନ-୪ ଲଞ୍ଚ୍‌ କରିବ ଇସ୍ରୋ

କୋଲ୍‌କାତା,୧୭ା୧୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚଳିତ ଆର୍ଥତ୍କ ବର୍ଷରେ ଆଉ ୭ଟି ଉତ୍‌କ୍ଷେପଣ ଯୋଜନା ରଖିଛି। ୨୦୨୭ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ହେବାକୁ ଥିବାବେଳେ ୨୦୨୮ରେ ଚନ୍ଦ୍ରୟାନ-୪ ଚନ୍ଦ୍ର ଅଭିମୁଖେ ପ୍ରେରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି। ପିଟିଆଇ ସହ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ବିଜ୍ଞାନ, ପ୍ରଯୁକ୍ତି ଓ ଶିଳ୍ପ ସାମର୍ଥ୍ୟରେ ଇସ୍ରୋ ଦ୍ରୁତ ଅଭିବୃଦ୍ଧି କରୁଛି। ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ବ୍ୟବସାୟିକ ଯୋଗାଯୋଗ ସାଟେଲାଇଟ୍‌ ସମେତ ଏକାଧିକ ପିଏସ୍‌ଏଲ୍‌ଭି ଏବଂ ଜିଏସ୍‌ଏଲ୍‌ଭି ମିଶନ କାର୍ଯ୍ୟକାରୀ ହେବ। ଭାରତୀୟ ଶିଳ୍ପ ଦ୍ୱାରା ପ୍ରଥମ ପିଏସ୍‌ଏଲ୍‌ଭି ସମ୍ପୂର୍ଣ୍ଣ ନିର୍ମାଣ ହେବାକୁ ଯାଉଛି। ଚନ୍ଦ୍ରୟାନ-୪ ମିଶନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ମିଶନରେ ଚନ୍ଦ୍ରପୃଷ୍ଠରୁ ନମୁନା ଆଣି ଚନ୍ଦ୍ରୟାନ ଫେରିବା ଯୋଜନା ରହିଥିବାରୁ ଏହା ଦେଶର ସବୁଠୁ ଜଟିଳ ଚନ୍ଦ୍ର ଅଭିଯାନ ବୋଲି ନାରାୟଣନ କହିଛନ୍ତି। ଆଉ ଏକ ମୁଖ୍ୟ ମିଶନ ହେଲା ଲୁପେକ୍ସ, ଯାହାକି ଏକ ମିଳିତ ଚନ୍ଦ୍ର ମେରୁ ଆବିଷ୍କାର କାର୍ଯ୍ୟକ୍ରମ। ଜେଏଏକ୍ସଏ (ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସି) ସହ ଇସ୍ରୋ ମିଳିତ ଭାବେ ଏହି ମିଶନ ଦିଗରେ କାର୍ଯ୍ୟ କରୁଛି।

 

Dharitri – The Largest & Most Trusted Odia Daily