ମହାକାଶରୁ ଶତ୍ରୁ ଉପରେ କଡ଼ା ନଜର ରଖିବ ଇସ୍ରୋର ଉପଗ୍ରହ: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ବେଙ୍ଗାଲୁରୁ,୪।୧୧: ଏଣିକି ଉପଗ୍ରହ ସହାୟତାରେ ଭାରତ ସୀମାରେ ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ସକ୍ଷମ ହେବ। ନଭେମ୍ବର ୭ରେ ଇସ୍ରୋ ପକ୍ଷରୁ ଇଓଏସ୍‌-୦୧ ଉପଗ୍ରହକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ମହାକାଶକୁ ଅପରାହ୍ନ ୩ଟା ୨ରେ ପ୍ରେରଣ କରାଯିବ। ପିଏସ୍‌ଏଲ୍‌ଭି-ସି୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯିବ। ଏହା ସହିତ ଆମେରିକାର ୪, ଲୁଜେମ୍‌ବର୍ଗର ୪ ଏବଂ ଲିଥୋନିଆର ଗୋଟିଏ ଉପଗ୍ରହ ମଧ୍ୟ ମହାକାଶକୁ ଇସ୍ରୋ ଦ୍ୱାରା ପ୍ରେରଣ କରାଯିବ। ଏସବୁ ଉପଗ୍ରହ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ ସହିତ ହୋଇଥିବା ଏକ ବ୍ୟବସାୟିକ ବୁଝାମଣା ଅନ୍ତର୍ଗତ ମହାକାଶକୁ ଇସ୍ରୋ ସହାୟତାରେ ପଠାଯିବ। ଏହାପରେ ଡିସେମ୍ବରରେ ଇସ୍ରୋ ପକ୍ଷରୁ ଜିସାଟ୍‌-୧୨-ଆର୍‌ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବା ଲାଗି ଯୋଜନା କରାଯାଇଛି। ଏହାକୁ ପିଏସ୍‌ଏଲ୍‌ଭି-ସି୫୦ ରକେଟ ଦ୍ୱାରା ମହାକାଶକୁ ପଠାଯିବ। ଇଓଏସ୍‌-୦୧ ଉପଗ୍ରହ ପ୍ରେରଣ ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।