ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ, ୨୨ା୧: ପ୍ରତି ୧୨ ବର୍ଷରେ ଥରେ ଆୟୋଜନ ହେଉଥିବା ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାରୋହ ମହାକୁମ୍ଭ ମେଳା ଗତ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି। ତେବେ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର କରି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ଏକ ରାଡାର ଇମେଜିଂ ସାଟେଲାଇଟ୍‌ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାର ଫଟୋ ପଠାଇଛି।

ହାଇଦ୍ରାବାଦରେ ଥିବା ଇସ୍ରୋର ଜାତୀୟ ରିମୋର୍ଟ ସେନ୍ସିଂ ସେଣ୍ଟର (ଏନ୍‌ଆର୍‌ଏସ୍‌ସି) ପକ୍ଷରୁ ‘ରାଡାରସେଟ-ରିସାଟ ୧ଏ’ ଦ୍ୱାରା ମହାକାଶରୁ ନିଆଯାଇଥିବା ୨ଟି ସାଟେଲାଇଟ୍‌ ଫଟୋକୁ ବୁଧବାର ଜାରି କରାଯାଇଛି। ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ରାଡାରସେଟ୍‌ ଦ୍ୱାରା ବାଦଲ ମଧ୍ୟରେ ମଧ୍ୟ ବିଭିନ୍ନ ସ୍ଥାନର ସାଟେଲାଇଟ୍‌ ଫଟୋ ନିଆଯାଇପାରୁଥିବା ଏନ୍‌ଆର୍‌ଏସ୍‌ସିର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚୌହାନ କହିଛନ୍ତି।

ଏନ୍‌ଆର୍‌ଏସ୍‌ସି ପକ୍ଷରୁ ଜାରି ସାଟେଲାଇଟ୍‌ ଚିତ୍ରରେ ମହାକୁମ୍ଭରେ ନିର୍ମିତ ଅସ୍ଥାୟୀ ଟେଣ୍ଟ ସିଟି, ନଦୀ ଉପରେ ନିର୍ମିତ ପାଣ୍ଟୁନ ବ୍ରିଜ୍‌ ଓ ସଙ୍ଗମ ଆଦି ଦୃଶ୍ୟମାନ ହେଉଛି। ସେହିପରି ମେଳାରେ ନିର୍ମିତ ବିଶାଳ ଢାଞ୍ଚାକୁ ମଧ୍ୟ ଏହି ଫଟୋରେ ଦେଖିବାକୁ ମିଳିଛି। ସାଟେଲାଇଟ୍‌ ଚିତ୍ରରେ ପ୍ରୟାଗରାଜର ପରେଡ ଗ୍ରାଉଣ୍ଡ ସହ ନୂତନ ଶିବାଳୟ ପାର୍କର ନିର୍ମାଣ କାର୍ଯ୍ୟ ମଧ୍ୟ ସ୍ଥାନ ପାଇଛି।

ଏନ୍‌ଆର୍‌ଏସ୍‌ସି ପକ୍ଷରୁ ଶେୟାର କରାଯାଇଥିବା ଗୋଟିଏ ଫଟୋ ୨୦୨୩ ସେପ୍ଟେମ୍ବର ୧୫ (ମହାକୁମ୍ଭମେଳା ଆୟୋଜନ ପୂର୍ବର) ହୋଇଥିବା ବେଳେ ଅନ୍ୟ ଫଟୋଟି ୨୦୨୪ ଡିସେମ୍ବର ୨୯ର (ମହାକୁମ୍ଭର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ସମୟରେ) ରହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ବିଭିନ୍ନ ନୂତନ ଜ୍ଞାନ କୌଶଳ ଦ୍ୱାରା ଇସ୍ରୋ ପକ୍ଷରୁ ଜାରି ହେଉଥିବା

ସାଟେଲାଇଟ୍‌ ଫଟୋଗୁଡ଼ିକର ସହାୟତାରେ ମହାକୁମ୍ଭ ମେଳାର ପରିଚାଳନା ସମେତ ବିପର୍ଯ୍ୟୟ ଓ ଦଳାଚକଟାକୁ ରୋକିବା ଦିଗରେ ସ୍ଥାନୀୟ ପ୍ରଶାସନକୁ ସହାୟତା ମିଳୁଛି। ପ୍ରକାଶ ଯେ, ୪୫ ଦିନ ଧରି ଜାରି ରହିବାକୁ ଥିବା ମହାକୁମ୍ଭ ମେଳା ଆସନ୍ତା ଫେବୃଆରୀ ୨୬ରେ ଶେଷ ହେବ।

Share