ଦିଲ୍ଲୀ ବିସ୍ଫୋରଣ: ଅଭିଯୁକ୍ତ ଡାକ୍ତରଙ୍କୁ ବୋମା ତିଆରି ଭିଡିଓ ଦେଇଥିଲା ପାକିସ୍ତାନୀ ଜୈଶ୍ ହ୍ୟାଣ୍ଡଲର୍

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ମାମଲାର ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୁଜାମିଲ ଶକିଲ୍‌ଙ୍କୁ ପାକିସ୍ତାନରେ ଥିବା ଜୈଶ୍-ଏ-ମହମ୍ମଦ (JeM)ର ହ୍ୟାଣ୍ଡଲର୍ ‘ହାନ୍‌ଜୁଲ୍ଲା’ ବୋମା ତିଆରିର ଭିଡିଓ ପଠାଇଥିଲା।

ସୁରକ୍ଷା ଏଜେନ୍ସିଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ‘ହାନ୍‌ଜୁଲ୍ଲା’ ଏକ ଛଦ୍ମନାମ ବା ‘Pseudonym’ ଅଟେ। ଗତ ଅକ୍ଟୋବରରେ ଜମ୍ମୁ-କାଶ୍ମୀରର ନୌଗାମ୍ ଅଞ୍ଚଳରେ ମିଳିଥିବା ଜୈଶ୍ ପୋଷ୍ଟରରେ ‘କମାଣ୍ଡର ହାନ୍‌ଜୁଲ୍ଲା ଭାଇ’ ନାମ ଲେଖାଥିଲା। ଜୈଶ୍ ହ୍ୟାଣ୍ଡଲର୍ ‘ହାନ୍‌ଜୁଲ୍ଲା’, ମୁଜାମିଲ୍ ଶକିଲ୍‌ଙ୍କ ସହିତ ମୌଲବୀ ଇରଫାନ୍ ଅହମ୍ମଦଙ୍କ ମାଧ୍ୟମରେ ଯୋଗାଯୋଗ କରିଥିଲା। ଏହି ମୌଲବୀ ହିଁ ଫରିଦାବାଦର ଅଲ୍-ଫଲାହ ୟୁନିଭର୍ସିଟିରେ କାର୍ଯ୍ୟରତ ଡାକ୍ତର ଶକିଲ୍‌ଙ୍କୁ ଉଗ୍ରପନ୍ଥୀ ବା ଆତଙ୍କବାଦୀ ଦିଗକୁ ଆଣିଥିଲା।

ଶକିଲ୍ ପରେ ଏହି ବିଶ୍ୱବିଦ୍ୟାଳୟର ଅନ୍ୟ ‘ସମାନ ବିଚାରଧାରାର’ ଡାକ୍ତର ଯଥା ମୁଜାଫ୍ଫର ଅହମ୍ମଦ, ଆଦିଲ ଅହମ୍ମଦ ରାଥେର ଏବଂ ଶାହୀନ୍ ସୟିଦ୍ଙ୍କୁ ଏହି ଆତଙ୍କବାଦୀ ମଡ୍ୟୁଲ୍‌ରେ ସାମିଲ୍ କରିଥିଲା। ବିସ୍ଫୋରକ ପରିବହନ କରିବା ଏବଂ ଆତ୍ମଘାତୀ ବୋମାମାଡ଼ କରିଥିବା ଉମର ମହମ୍ମଦ ଓରଫ୍ ଉମର-ଉନ୍-ନବିଙ୍କୁ ବିସ୍ଫୋରଣରେ ବ୍ୟବହୃତ ଧଳା Hyundai i20 କାର୍ ହସ୍ତାନ୍ତର କରିବାରେ ଶକିଲ୍‌ର ଭୂମିକା ରହିଥିଲା।

ଆତଙ୍କବାଦୀମାନେ ସୁରକ୍ଷିତ ମେସେଜିଂ ଆପ୍ ଟେଲିଗ୍ରାମ୍ ବ୍ୟବହାର କରୁଥିଲେ ଏବଂ ଧ୍ୟାନ ଆକର୍ଷଣରୁ ବର୍ତ୍ତିବା ପାଇଁ କୋଡ୍ ୱାର୍ଡ ବ୍ୟବହାର କରୁଥିଲେ। ଯେପରିକି- ‘ବିରିୟାନୀ’ (ବିସ୍ଫୋରକ ସାମଗ୍ରୀ) ଏବଂ ‘ଦାୱତ୍’ (ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ/ଘଟଣା)।

ଏହି ଜୈଶ୍ ସମ୍ପର୍କିତ ମଡ୍ୟୁଲ୍ ଦିଲ୍ଲୀ, ଗୁରୁଗ୍ରାମ ଏବଂ ଫରିଦାବାଦର ହାଇ-ପ୍ରୋଫାଇଲ୍ ଅଞ୍ଚଳକୁ ଲକ୍ଷ୍ୟ କରି ୨୦୦ ଶକ୍ତିଶାଳୀ IED (Improvised Explosive Devices) ପ୍ରସ୍ତୁତ କରିବାକୁ ମାସ ମାସ ଧରି ଯୋଜନା କରୁଥିଲା।

ଫରିଦାବାଦର ଅଲ୍-ଫଲାହ ୟୁନିଭର୍ସିଟି ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ରରେ ଥିବା ଜଣାପଡ଼ିବା ପରେ ତା’ ଉପରେ ଯାଞ୍ଚ ଆରମ୍ଭ ହୋଇଛି। ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାୱାଦ୍ ଅହମ୍ମଦ ସିଦ୍ଦିକିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଛି। ରେଡ୍ ସମୟରେ ୪୮ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।

Share