ଅଧରାତିରେ ଗାଜା ସିଟି ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ଫେଲ୍‌ ମାରିଲା ଟ୍ରମ୍ପଙ୍କ ଦାବି

ନୂଆଦିଲ୍ଲୀ,୮।୧୦: ଇସ୍ରାଏଲ ଗାଜା ସିଟି ଉପରେ ଏକ ବଡ଼ ବିମାନ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଗାଜା ଶାନ୍ତି ଯୋଜନା’ ଉପରେ ଭୋଟ ଦେବା ପାଇଁ ଇସ୍ରାଏଲ କ୍ୟାବିନେଟ ବୈଠକ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।
ହମାସ-ନିୟନ୍ତ୍ରିତ ସୁରକ୍ଷା ସଂସ୍ଥା ରିପୋର୍ଟ କରିଛି ଯେ, ଗାଜା ସିଟିର ସାବ୍ରା ଅଞ୍ଚଳରେ ହୋଇଥିବା ଆକ୍ରମଣ ଯୋଗୁ ଏକ ବହୁମହଲା କୋଠା ଭୁଶୁଡ଼ି ପଡ଼ିଥିଲା, ପ୍ରାୟ ୪୦ ଜଣ ଲୋକ ଭଗ୍ନାଂଶ ତଳେ ପୋତି ହୋଇଯାଇଥିଲେ। ଇସ୍ରାଏଲୀ ସେନା (IDF) ଆକ୍ରମଣକୁ ନିଶ୍ଚିତ କରିଛି ଏବଂ କହିଛି ଯେ, ଟାର୍ଗେଟ ହମାସ ଆତଙ୍କବାଦୀ ଥିଲେ।

ଗାଜାର ସିଭିଲ ଡିଫେନ୍ସ ଏଜେନ୍ସି ରିପୋର୍ଟ କରିଛି ଯେ, ଏପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର କରାଯାଇଛି। ଅନେକ ଲୋକ ଭଗ୍ନାଂଶ ତଳେ ଫସି ରହିଛନ୍ତି। IDF ବିବୃତ୍ତି ଅନୁଯାୟୀ, ଆମେ ଇସ୍ରାଏଲୀ ସୈନ୍ୟଙ୍କ ନିକଟରେ ଅବସ୍ଥିତ ଏବଂ ସେମାନଙ୍କ ପାଇଁ ଏକ ତୁରନ୍ତ ବିପଦ ସୃଷ୍ଟି କରୁଥିବା ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲୁ।

ଏଏଫପି ଅନୁଯାୟୀ, ଗାଜାରେ ଯୁଦ୍ଧବିରତି ନିରୀକ୍ଷଣ ପାଇଁ ପ୍ରାୟ ୨୦୦ ଆମେରିକୀୟ ସୈନ୍ୟଙ୍କ ଏକ ଦଳ ନିୟୋଜିତ ହେବ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧବିରତି ଚୁକ୍ତିନାମାର ସଫଳତା ସୁନିଶ୍ଚିତ କରିବା ଏବଂ ବନ୍ଧକ ମୁକ୍ତ ପ୍ରକ୍ରିୟାରେ ସହାୟତା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଆକ୍ରମଣର କିଛି ଘଣ୍ଟା ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଇସ୍ରାଏଲ ଏବଂ ହମାସ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ଉପରେ ସହମତ ହୋଇଛନ୍ତି। ତାଙ୍କ ଅନୁସାରେ, ଯେତେବେଳେ ଇସ୍ରାଏଲୀ ସରକାର ଏହି ଚୁକ୍ତିନାମାକୁ ଅନୁମୋଦନ କରିବେ, ଯୁଦ୍ଧ ତୁରନ୍ତ ଶେଷ ହେବ।ଏହି ଚୁକ୍ତିନାମା ବନ୍ଧକଙ୍କ ମୁକ୍ତି ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ ଏବଂ ଆଶା ପ୍ରକାଶ କରିଛନ୍ତି ଯେ ସମସ୍ତ ବନ୍ଧକଙ୍କୁ ୧-୨ ଦିନ ମଧ୍ୟରେ ମୁକ୍ତ କରାଯିବ।
ରାଷ୍ଟ୍ରପତି ଟ୍ରମ୍ପ ଏହି ଚୁକ୍ତିନାମାକୁ ଏକ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି,ଯାହା ଦୁଇ ବର୍ଷ ଧରି ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ଦିଗରେ ପ୍ରମୁଖ ଅଗ୍ରଗତି କରିବ। କିନ୍ତୁ ଟ୍ରମ୍ପଙ୍କ ଏହି ଦାବି ଫସର ଫାଟିଲା ପରି ଜଣାପଡ଼ୁଛି।

 

Dharitri – Odisha’s No.1 Odia Daily

 

Share