ଜେରୁଜେଲମ/ତେହରାନ,୧୯।୬: କେନ୍ଦ୍ରୀୟ ଇସ୍ରାଏଲର ବେରସେବା ହସ୍ପିଟାଲ ଉପରେ ଇରାନର ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏବେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରାଯିବ। ତେବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେବା ପରେ କାଟ୍ଜଙ୍କ ଏହି ବୟାନ ଆସିଛି। ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।
ଦ ଜେରୁଜେଲମ ପୋଷ୍ଟ ଅନୁଯାୟୀ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ କହିଛନ୍ତି ହସ୍ପିଟାଲ ଉପରେ ଆକ୍ରମଣ ପାଇଁ ଖାମେନେଇ ଦାୟୀ। ତେଣୁ ଆମେ ଏବେ ତାଙ୍କୁ ସିଧାସଳଖ ଟାର୍ଗେଟ କରିବୁ। ଏହା ଏକ ଯୁଦ୍ଧ ଅପରାଧ, ଯେଉଁଥିପାଇଁ ଖାମେନେଇଙ୍କୁ ଦଣ୍ଡ ଦିଆଯିବ।
ଇରାନ ଯେଉଁଭଳି ଭାବେ ହାଇପରସୋନିକ କ୍ଷେପଣାସ୍ତ୍ର ବ୍ୟବହାର କରୁଛି, ତାହା ନିଶ୍ଚିତ କରିଛି ଯେ ସେ ତା’ର କାର୍ଯ୍ୟ ବନ୍ଦ କରିବ ନାହିଁ। ଆମେ ଏବେ ଏକ ନୂତନ ଉପାୟରେ ଇରାନ ଉପରେ ଆକ୍ରମଣ କରିବାକୁ ଯାଉଛୁ।
କାଟ୍ଜ ଆହୁରି କହିଛନ୍ତି ଯେ ଆମେ ଅଲୀ ଖାମେନେଇଙ୍କ ଶକ୍ତିକୁ ଦୋହଲାଇ ଦେବୁ। ଏଥିପାଇଁ ଯାହା କରିବାକୁ ପଡିବ ତାହା କରିବୁ। ଆମେ ଇସ୍ରାଏଲ ଉପରେ ସମସ୍ତ ସମ୍ଭାବ୍ୟ ଆକ୍ରମଣର ଜବାବ ଦେବା ପାଇଁ କାର୍ଯ୍ୟ କରୁଛୁ।
କହିରଖୁଛୁ, ତେହେରାନ ଉପରେ ଆକ୍ରମଣର ପ୍ରତିବାଦରେ ଗୁରୁବାର ଇରାନ ଏକ ଇସ୍ରାଏଲ ହସ୍ପିଟାଲ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଇରାନ ଇଣ୍ଟରନ୍ୟାସନାଲ ଅନୁଯାୟୀ, ଇସ୍ରାଏଲୀ ଆକ୍ରମଣକୁ ଦୃଷ୍ଟିରେ ରଖି, ଖାମେନେଇ ତାଙ୍କ ପରିବାର ସହିତ ତେହେରାନର ଲାଭିଜାନ ବଙ୍କରରେ ଲୁଚି ରହିଛନ୍ତି। ଏହି ବଙ୍କର ପରମାଣୁ ସ୍ଥାନ ନିକଟରେ ଅଛି। ଇରାନୀ ସେନା ମୁଖ୍ୟାଳୟ ମଧ୍ୟ ବଙ୍କର ନିକଟରେ ଅଛି।
ତେବେ ଖାମେନେଇ ଇରାନର ସର୍ବୋଚ୍ଚ ନେତା ଏବଂ ସେ ସେନାର ମୁଖ୍ୟ। ବୁଧବାରସେ ଇସ୍ରାଏଲ ଆକ୍ରମଣ ବିରୁଦ୍ଧରେ ଏକ ବିବୃତ୍ତି ଜାରି କରିଥିଲେ। ଖାମେନେଇ କହିଥିଲେ ଯେ ଆମେ ଆମେରିକା ନିକଟରେ ଆତ୍ମସମର୍ପଣ କରିବାକୁ ଯାଉନାହୁଁ।