୪ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କଲା ହମାସ୍‌

ତେଲ୍‌ ଆଭିଭ୍‌,୨୦।୨: ଗାଜାର ଶାସକ ହମାସ୍‌ ଗୁରୁବାର ୪ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହନ୍ତାନ୍ତର କରିଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଅଚାନକ ଆକ୍ରମଣ କରି ସେମାନଙ୍କ ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ହନ୍ତାନ୍ତର ହୋଇଥିବା ମୃତ ପଣବନ୍ଦୀମାନେ ହେଲେ ଶିରି ବିବାସ୍‌, ତାଙ୍କ ୨ ପିଲା ଏରିଏଲ୍‌, କଫିର ଏବଂ ଓଡେଡ୍‌ ଲିଫ୍‌ଶିଜ୍‌। ଅପହରଣ ବେଳେ ଓଡେଡ୍‌ଙ୍କୁ ୮୩ ବର୍ଷ ହୋଇଥିଲା। କଫିର ସବୁଠୁ କମ୍‌ ବୟସ୍କ ପଣବନ୍ଦୀ ଥିଲେ। ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ ବେଳେ ସେମାନଙ୍କ ମୃତ୍ୟୁ ଘଟିଥିବା ହମାସ୍‌ କହିଛି। ଗତମାସ ୧୯ରୁ ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ରାଜିନାମା କାର୍ଯ୍ୟକାରୀ ହେବା ସହ ବନ୍ଦୀ ଅଦଳବଦଳ ଜାରି ରହିଛି। ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ମାର୍ଚ୍ଚ ପ୍ରଥମ ଭାଗରେ ଶେଷ ହେଉଥିବାବେଳେ ବୁଝାମଣାର ଦ୍ୱିତୀୟ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ନେଇ ଅନିଶ୍ଚିତତା ଜାରି ରହିଛି। ବୁଝାମଣାକୁ ଆଗେଇ ନେବା ପାଇଁ ପାଲେଷ୍ଟିନୀୟ ଏବଂ ଆରବ ଦେଶଗୁଡ଼ିକ ଉଦ୍ୟମ ଚଳାଇଥିବାବେଳେ ଗାଜାରୁ ପାଲେଷ୍ଟିନୀୟମାନଙ୍କୁ ତଡ଼ିଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରାୟ ୧୬ ମାସ ଧରି ଚାଲିଥିବା ଯୁଦ୍ଧରେ ଗାଜା ଏବଂ ଲେବାନନ୍‌ରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ଗାଜାର ପାଖାପାଖି ୭୦ ପ୍ରତିଶତ ବିଲ୍ଡିଂ ଧ୍ୱଂସ ହୋଇଯାଇଥିଲା।