ହଷ୍ଟେଲରେ ଆଇସୋଲେଶନ ପ୍ରକୋଷ୍ଠ ବାଧ୍ୟ

ଢେଙ୍କାନାଳ ଅଫିସ, ୫।୧୨ – ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ୫୬ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଆବାସିକ ବେସରକାରୀ କଲେଜରେ ପାଠପଢ଼ା ସାଙ୍ଗକୁ ସଂକ୍ରମଣ ପ୍ରତିହତ କରିବା ନୂଆ ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥଳେ ଜିଲାପାଳ ସରୋଜ କୁମାର ସେଠୀ ଘନଘନ ବୈଠକ କରି ସ୍ଥିତି ଉପରେ ନଜର ରଖିଛନ୍ତି। ଶନିବାର ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ମାଜିଷ୍ଟ୍ରେଟ୍‌ ଭାବେ ଡେପୁଟି କଲେକ୍ଟର ପ୍ରମୋଦ ଦଳବେହେରାଙ୍କ ଉପସ୍ଥିତିରେ ଗଠିତ ସ୍କ୍ବାର୍ଡ ସହରରେ ଥିବା ବିଭିନ୍ନ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। କଲେଜ କ୍ୟାମ୍ପସ ସମେତ ଛାତ୍ରାବାସ, ଛାତ୍ରୀନିବାସରେ କୋଭିଡ୍‌ ଗାଇଡ୍‌ ଲାଇନ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହଷ୍ଟେଲ ସମ୍ମୁଖରେ ସୂଚନା ଫଳକ ଲଗାଇବାକୁ କୁହାଯାଇଛି। ପ୍ରତି ହଷ୍ଟେଲରେ ପାଇଖାନା/ବାଥରୁମ୍‌ ସଂଲଗ୍ନ ଆଇସୋଲେଶନ ପ୍ରକୋଷ୍ଠ ବାଧ୍ୟତାମୂଳକ କରାଯାଇଛି। ପ୍ରକୋଷ୍ଠକୁ ଲାଗି ବାଥରୁମ୍‌ କିମ୍ବା ପାଇଖାନା ନ ଥିଲେ, ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବାଦ୍‌ଦେଲେ ମାସ୍କ ପରିଧାନ ବାଧ୍ୟତାମୂଳକ, ହଷ୍ଟେଲ ଓ କଲେଜରେ ସାନିଟାଇଜେଶନ, ସାମାଜିକ ଦୂରତ୍ୱ ରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। କୌଣସି ଛାତ୍ରୀଛାତ୍ର କୋଭିଡ୍‌ରେ ସଂକ୍ରମଣ ହୋଇଥିବା ଜଣାପଡ଼ିଲେ କଲେଜ କର୍ତ୍ତୃପକ୍ଷ ତୁରନ୍ତ ପ୍ରଶାସନକୁ ଅବଗତ କରାଇବେ। ଏଥିରେ ବ୍ୟତିକ୍ରମ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କଡ଼ା ତାଗିଦ୍‌ କରାଯାଇଛି।
ଶିକ୍ଷାନୁଷ୍ଠାନକୁ ବାଦ୍‌ଦେଲେ ସହରରେ ମଧ୍ୟ ଯାଞ୍ଚ କଡ଼ାକଡ଼ି ହେବ। ବିଶେଷ କରି ବ୍ୟବସାୟିକ ପ୍ରତିଷ୍ଠାନ, ଜନଗହଳିପୂର୍ଣ୍ଣ ସ୍ଥାନ, ହାଟ ବଜାର ଉପରେ ନଜର ରହିବ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତରେ ଉପସ୍ଥିତି ଜାହିର କରିବା ପରେ ତୃତୀୟ ଲହର ଆଶଙ୍କା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବା ଲାଗି କୋଭିଡ୍‌ ନିୟମ ଅନୁପାଳନ କରିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲାର ବିଭିନ୍ନ ବ୍ଲକ ଏବଂ ଏନ୍‌ଏସିରେ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି।

Share