Categories: Home Leftଖେଳ

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି।

ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ ଦଳ ସହିତ କେବେ ଯୋଡ଼ି ହେବେ ସେ ନେଇ କୌଣସି ସ୍ପଷ୍ଟତା ନାହିଁ। ଏଣୁ ଦଳର ନେତୃତ୍ୱ ଲାଗି ଟିମ୍‌ ମ୍ୟାନେଜମେଣ୍ଟ କିଶନଙ୍କୁ ବାଛିଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

୨୭ ବର୍ଷୀୟ କିଶନ ଟି୨୦ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିସହିତ ତାଙ୍କ ନିକଟରେ ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ତାଙ୍କ ନେତୃତ୍ୱରେ ଝାଡ଼ଖଣ୍ଡ ଗତ ବର୍ଷ ପ୍ରଥମଥର ପାଇଁ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଜିତିଥିଲା। ସେ ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ୩ ଫ୍ରାଞ୍ଚାଇଜ ପାଇଁ ୧୧୯ ମ୍ୟାଚ୍‌ ଖେଳି ୧୧୨ ଇନିଂସରେ ୨୯.୧୦ ଆଭରେଜ ଓ ୧୩୭.୬୪ ଷ୍ଟ୍ରାଇକରେଟ୍‌ରେ ୨,୯୯୮ ରନ କରିଛନ୍ତି। ଏଥିରେ ୧ ଶତକ ଓ ୧୭ ଅର୍ଦ୍ଧଶତକ ରହିଛି।

Share