ପୋଲ କାମ ସାରିବାକୁ ବିଧାୟକଙ୍କ ସହ ଆଲୋଚନା

ଖଜୁରିପଡ଼ା,୧୩ା୯ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅଧୀନସ୍ଥ ଗାଡ଼ିଆପଡ଼ା ଘାଟି ଶେଷରେ ଥିବା ସେବାଶ୍ରମ ବିଦ୍ୟାଳୟ ନିକଟ ନାଳରେ ପୋଲ ନିର୍ମାଣ ଚାଲିଛି। ଫୁଲବାଣୀ ଭୁବନେଶ୍ୱର ମୁଖ୍ୟରାସ୍ତା ଏବଂ ଘାଟିରହିଥିବା ଗାଡ଼ିଆପଡା ଗ୍ରାମରେ ଏହି ପୋଲ ନିର୍ମାଣ ହେଲେ ଯାନବାହନ ଯିବା ଆସିବା ସହଜ ହେବା ସହିତ ବହି ଯାଇଥିବା ନାଳର ଜଳସ୍ରୋତରେ କୌଣସି ସମସ୍ୟା ହେବନାହିଁ। କିନ୍ତୁ ଉକ୍ତ ନାଳ ପାଣି ଉପରେ ଚାଷୀମାନେ ନିର୍ଭର କରୁଥିବା ବେଳେ ଏବେ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମାନି ପାଇଁ ୨ ବର୍ଷ ହେଲା ଭଙ୍ଗା ଯାଇଥିବା କେନାଲ ନିର୍ମାଣ ନ ହେବାରୁ ଚାଷକାମ ବନ୍ଦ ରହିଛି l ସେହିଭଳି ପୂର୍ତ୍ତ ବିଭାଗ କୌଣସି ସୂଚନା ନ ଦେଇ ସ୍ଥାନୀୟ ବାସିନ୍ଦା ପ୍ରଦୀପ ସାହୁଙ୍କ ବାସଗୃହ ପୋଲିସ ପ୍ରଶାସନଙ୍କୁ ଲଗେଇ ଭାଙ୍ଗିଥିବା ଅଭିଯୋଗ ହୋଇଛି l କେତେକ ଚାଷୀଙ୍କ ବିଲରେ ନିର୍ମାଣ ସାମଗ୍ରୀ ପଡି ରହୁଥିବା ହେତୁ ସେମାନେ ଆଉ କୌଣସି ଚାଷ କରି ନ ପାରି କ୍ଷତି ସହୁଥିବା ଅଭିଯୋଗ ହୋଇଛି। ଠିକାଦାରଙ୍କ ନିର୍ମାଣ ସମୟ ସରିଥିଲେ ସୁଦ୍ଧା ପୋଲ ନିର୍ମାଣ ବନ୍ଦ କରି ଅନ୍ୟ ଅଞ୍ଚଳରେ କାମ କରୁଥିବା ଜଣାପଡୁଛି। ପୋଲ ନିର୍ମାଣରେ ଯେଉଁମାନଙ୍କର କ୍ଷତି ହୋଇଛି ସେ ବାବଦକୁ କୌଣସି ସରକାରୀ ସହାୟତା ମିଳିନାହିଁ। ତେଣୁ କିଭଳି ପୋଲ ନିର୍ମାଣ ଶୀଘ୍ର ସରିବ ଏବଂ ଗ୍ରାମବାସୀ କ୍ଷତିପୂରଣ ପାଇବେ ସେ ନେଇ ଗାଡିଆପଡା ଗ୍ରାମର ପ୍ରଦୀପ ସାହୁ, ଦିଲୀପ ଦେହୁରୀ, ଅଲେଖ ଦେହୁରୀ, ଅଗସ୍ତି ଦେହୁରୀ, ରବୀନ୍ଦ୍ର ଦେହୁରୀ, ଦୀନବନ୍ଧୁ ବେହେରା, ନିରାକାର ବେହେରା, ରସାନନ୍ଦ ଯାନୀ, ବାସନ୍ତୀ ଯାନୀ, କଣ୍ଠେଶ୍ୱର ଯାନୀ, ବିଶାଖା ଯାନୀ, ଅଫିସର ଯାନୀ ପ୍ରମୁଖ ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କୁ ଅଭିଯୋଗ କରିଛନ୍ତି l ବିଧାୟକ ଜିଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ନିର୍ମାଣ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗ୍ରାମବାସୀଙ୍କ ସହ ଖଜୁରିପଡା ବ୍ଲକ୍‌ ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ ଏବଂ ମଣ୍ଡଳ ସଭାପତି ରଞ୍ଜନ ସାହୁଙ୍କ ସହ ବିଧାନସଭା ସଂଯୋଜକ ଦେବାଶିଷ ପ୍ରିୟଦର୍ଶନୀ ସାହୁ ଉପସ୍ଥିତ ଥିଲେ।