Categories: ମେଟ୍ରୋ

ବିଏମ୍‌ସିକୁ ଆଇଏସ୍‌ସି-ଫିକି ପରିମଳ ଆଓ୍ବାର୍ଡ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ବିଭିନ୍ନ ପଦକ୍ଷେପ ପାଇଁ ଓଡ଼ିଶାକୁ ୩ଟି ଜାତୀୟ ପୁରସ୍କାର ମିଳିଛି। ମଳ ଉପଚାର ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ‘ଆଇଏସ୍‌ସି-ଫିକି ପରିମଳ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହାସହ ପରିମଳ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଥିବା ଭଦ୍ରକ ମ୍ୟୁନିସିପାଲିଟିର ଜଣେ ସ୍ବଚ୍ଛସାଥୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ପରିମଳ ବ୍ୟବସ୍ଥାରେ ଶ୍ରେଷ୍ଠ ଦକ୍ଷତା ପ୍ରତିପାଦନ ପାଇଁ ଯାଜପୁର ମ୍ୟୁନିସିପାଲିଟିକୁ ମଧ୍ୟ ପୁରସ୍କାର ମିଳିଛି। ଗତ ୭ ଓ ୮ ତାରିଖ ଦୁଇଦିନ ଧରି ଦିଲ୍ଲୀଠାରେ ଆୟୋଜିତ ଆଇଏସ୍‌ସି-ଫିକି ସାନିଟେଶନ ଆଓ୍ବାର୍ଡସ ସେରିମନି ଆଣ୍ଡ୍‌ ଇଣ୍ଡିଆ ସାନିଟେଶନ କନ୍‌କ୍ଲେଭ୍‌ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସ୍ବତନ୍ତ୍ର ଜ୍ଞାନକୌଶଳ ପ୍ରୟୋଗ କରି ମଳ ଉପଚାରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଭୁବନେଶ୍ୱରକୁ ଜାତୀୟ ସ୍ତରରେ ପୁରସ୍କାର ମିଳିଛି। ‘ଫିକି’ ପକ୍ଷରୁ ଏନେଇ ଏକ ପ୍ରତିଯୋଗିତା କରାଯାଇଥିଲା। ସ୍ବେରେଜ, ସେଫ୍‌ଟେଜ ଓ ଫିକଲ୍‌ ସ୍ଲଜ୍‌ ମ୍ୟାନେଜମେଣ୍ଟ କ୍ଷେତ୍ରରେ ମାନଦଣ୍ଡ ପୂରଣ କରିବା ସହିତ ଭୁବନେଶ୍ୱର ଅନ୍ୟ ସହର ତୁଳନାରେ ଉନ୍ନତ ପ୍ରଦର୍ଶନ କରିଛି। ସହରର ପ୍ରତି ଘରକୁ ସ୍ବେରେଜ୍‌ ଲାଇନ ସଂଯୋଗ ସହିତ ଘରୁ ସେସପୁଲ ଗାଡ଼ି ଯୋଗେ ବର୍ଜ୍ୟ ଜଳ ନିଆଯାଉଛି। ଏହାକୁ ଅତ୍ୟାଧୁନିକ ପଦ୍ଧତିରେ ପରିଚାଳନା କରାଯାଉଛି। ସେହିପରି ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଖିଲାପକାରୀଙ୍କ ବିରୋଧରେ ବିଏମ୍‌ସି ପକ୍ଷରୁ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବାର ନଜିର ରହିଛି। ପୁରସ୍କାର ଗ୍ରହଣ କରିବା ଅବସରରେ ମେୟର ସୁଲୋଚନା ଦାସ କହିଛନ୍ତି, ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ପଦକ୍ଷେପକୁ ରାଜଧାନୀବାସୀ ଗ୍ରହଣ କରୁଥିବାରୁ ବିଏମ୍‌ସିକୁ ଏହି ସଫଳତା ମିଳିଛି। ବିଏମ୍‌ସିର ପଦକ୍ଷେପ ଅନ୍ୟମାନଙ୍କ ପାଇଁ ମଡେଲ ସାଜିବା ସହ ସ୍ବୀକୃତି ମିଳିଛି। ଏହି ସଫଳତା ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ଭୁବନେଶ୍ୱରକୁ ଆଗକୁ ନେବାରେ ସହାୟକ ହେବ ବୋଲି ବିଏମ୍‌ସି ଆଶା ରଖିଛି।

ଅନ୍ୟପଟେ ପୁରସ୍କାର ପାଇଥିବା ଭଦ୍ରକ ମ୍ୟୁନିସିପାଲିଟିର ସ୍ବଚ୍ଛସାଥୀ ୨୬ ବର୍ଷୀୟା ସସ୍ମିତା ବାରିକ ସହରର ପରିମଳ ରକ୍ଷା ଦିଗରେ ଲୋକଙ୍କୁ ସଚେତନ କରିବା ସହିତ ମଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କାର୍ଯ୍ୟ କରୁଛନ୍ତି। ୨୦୧୯ରୁ ସେ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଜିତି ଆସୁଛନ୍ତି। ଚଳିତବର୍ଷ ପୁରସ୍କାର ଗ୍ରହଣ କରିବା ପାଇଁ ବିଏମ୍‌ସି ମେୟରଙ୍କ ସହ ୫ ଜଣିଆ ଟିମ ଯାଇଥିବାବେଳେ ଭଦ୍ରକର ସସ୍ମିତା ବାରିକ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ଦିଲ୍ଲୀ ଯାଇଥିଲେ। ଜାତୀୟ ସ୍ତରର ପୁରସ୍କାର ପାଇବା ପରେ ରାଜ୍ୟ ନଗର ଉନୟନ୍ନ ବିଭାଗ ପକ୍ଷରୁ ଏହି ୩ ପୌର ସଂସ୍ଥାକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।