ନୂଆଦିଲ୍ଲୀ,୨୪।୮: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିହାରରେ ‘ଭୋଟର ଅଧିକାର ଯାତ୍ରା’ କରୁଛନ୍ତି। ରବିବାର ଏହି ଯାତ୍ରା ଅରରିଆରେ ପହଞ୍ଚିଥିଲା, ଯେଉଁଠାରେ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତା ତେଜସ୍ବୀ ଯାଦବଙ୍କ ସହ ଏକ ଖବରଦାତା ସମ୍ମିଳନୀରେ ଭାଗ ନେଇଥିଲେ। ଏହି ସମୟରେ ମଞ୍ଚ ଉପରେ ଏକ ମଜାଳିଆ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, ଯାହା ଶୁଣି ଉପସ୍ଥିତ ଲୋକେ ହସି ହସି ଗଡ଼ି ପଡ଼ିଥିଲେ। ଦୀର୍ଘ ଦିନ ଧରି ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ ରାହୁଲ ଗାନ୍ଧୀ ବିବାହ କରିବେ କି ନାହିଁ? ଏହି ଖବରଦାତା ସମ୍ମିଳନୀରେ ରାହୁଲ ନିଜେ ଏହା ସମ୍ପର୍କରେ ଏକ ବଡ଼ ସଙ୍କେତ ଦେଇଛନ୍ତି।
ଖବରଦାତା ସମ୍ମିଳନୀ ସମୟରେ ତେଜସ୍ବୀ ଯାଦବ କେନ୍ଦ୍ରୀୟ ମନ୍ତ୍ରୀ ଚିରାଗ ପାସୱାନଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ। ତେଜସ୍ବୀ କହିଥିଲେ, ଚିରାଗ ପାସୱାନ ଆମର ବଡ଼ ଭାଇ ଏବଂ ତାଙ୍କୁ ଯଥାଶୀଘ୍ର ବିବାହ କରିବା ଉଚିତ। ଏହି ସମୟରେ ରାହୁଲ ଗାନ୍ଧୀ ହସି ହସି ନିଜ ବିବାହ ସମ୍ପର୍କରେ ଏକ ମଜାଳିଆ ସଙ୍କେତ ଦେଇ କହିଥିଲେ, ଏହି ପରାମର୍ଶ ମୋ ଉପରେ ମଧ୍ୟ ପ୍ରଯୁଜ୍ୟ। ରାହୁଲଙ୍କ ଏହି କଥା ଶୁଣି ତେଜସ୍ବୀ ମଜାଳିଆ ଢଙ୍ଗରେ ନିଜ ବାପା ଲାଲୁ ପ୍ରସାଦ ଯାଦବଙ୍କ କଥା ଉଠାଇଥିଲେ। ସେ କହିଥିଲେ, ବାପା (ଲାଲୁ ପ୍ରସାଦ) ତ କେବେଠୁ କହୁଛନ୍ତି ଯେ ଆପଣ ବିବାହ କରି ନିଅନ୍ତୁ। ଏହା ଶୁଣି ରାହୁଲ ହସି ହସି ଉତ୍ତର ଦେଇଥିଲେ, ତେଜସ୍ବୀଙ୍କ ବାପାଙ୍କ ସହ ମୋର କଥାବାର୍ତ୍ତା ଚାଲିଛି। ଏହି ମଜାଳିଆ ସଂଳାପ ଶୁଣି ମଞ୍ଚରେ ଉପସ୍ଥିତ ସମସ୍ତେ ହସି ଉଠିଥିଲେ।
ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବ କଥିତ ଭୋଟ ଚୋରୀ ବିରୁଦ୍ଧରେ ୧୭ ଅଗଷ୍ଟରେ ‘ଭୋଟର ଅଧିକାର ଯାତ୍ରା’ ଆରମ୍ଭ କରିଛନ୍ତି। ଏହା ଆସନ୍ତା ୧ ସେପ୍ଟେମ୍ବରରେ ସମାପ୍ତ ହେବ। ୧୬ ଦିନିଆ ଏହି ଯାତ୍ରାରେ ୨୦ଟି ଜିଲ୍ଲା ଦେଇ ମୋଟ ୧୩୦୦ କିଲୋମିଟର ଅତିକ୍ରମ କରାଯିବ। ଏହି ଯାତ୍ରା ଔରଙ୍ଗାବାଦ, ଗୟାଜୀ, ନବାଦା, ନାଲନ୍ଦା, ଶେଖପୁରା, ଲଖୀସରାୟ, ମୁଙ୍ଗେର, ଭାଗଲପୁର, କଟିହାର, ପୂର୍ଣ୍ଣିଆ, ଅରରିଆ, ସୁପୌଲ, ମଧୁବନୀ, ଦରଭଙ୍ଗା, ସୀତାମୀ, ପୂର୍ବୀ ଚମ୍ପାରଣ, ପଶ୍ଚିମୀ ଚମ୍ପାରଣ, ଗୋପାଳଗଞ୍ଜ, ସୀୱାନ, ଛପ୍ରା ଓ ଆରା ଦେଇ ଗତି କରିବ।