ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ, କ’ଣ ବିନା ପ୍ରପର୍ଟି ରେଜିଷ୍ଟ୍ରେଶନ ବା କାଗଜପତ୍ରରେ ହୋମ ଲୋନ ମିଳିବା ସମ୍ଭବ?

ନିକଟରେ ICICI ବ୍ୟାଙ୍କ ପକ୍ଷରୁ ଏହି ଦ୍ୱନ୍ଦ୍ୱକୁ ଦୂର କରାଯାଇଛି। ବ୍ୟାଙ୍କର ସୂଚନା ଅନୁଯାୟୀ, ଗୃହ ଋଣ ପ୍ରକ୍ରିୟାରେ ଡକ୍ୟୁମେଣ୍ଟେସନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ।

ପ୍ରପର୍ଟି ଡକ୍ୟୁମେଣ୍ଟ କାହିଁକି ଜରୁରୀ?
ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନଗୁଡ଼ିକ ଋଣ ଦେବା ପୂର୍ବରୁ ଗ୍ରାହକଙ୍କ ପରିଚୟ, ଆୟ ଏବଂ ସମ୍ପୃକ୍ତ ସମ୍ପତ୍ତିର ବୈଧତା ଯାଞ୍ଚ କରିଥାନ୍ତି। ଏହାର କିଛି ମୁଖ୍ୟ କାରଣ ହେଲା:

ନିର୍ମାଣାଧୀନ ପ୍ରପର୍ଟି (Under-construction): ଏହି କ୍ଷେତ୍ରରେ ବିଲଡରଙ୍କ ବିଶ୍ୱସନୀୟତା ଏବଂ ପ୍ରୋଜେକ୍ଟର ଆଇନଗତ ସ୍ଥିତି ଯାଞ୍ଚ କରାଯାଏ।
ରେଡି ବା ରିସେଲ ପ୍ରପର୍ଟି: ଏଠାରେ ବ୍ୟାଙ୍କ ନିଶ୍ଚିତ କରେ ଯେ ବିକ୍ରେତା ଜଣକ ପ୍ରକୃତ ମାଲିକ କି ନୁହଁନ୍ତି ଏବଂ ସମ୍ପତ୍ତିଟି କୌଣସି ଆଇନଗତ ବିବାଦରେ ଫସିଛି କି ନାହିଁ।
ବ୍ୟାଙ୍କର ସୁରକ୍ଷା: ଋଣ ପରିଶୋଧ ନହେବା ପର୍ଯ୍ୟନ୍ତ ବ୍ୟାଙ୍କ ପ୍ରପର୍ଟି କାଗଜପତ୍ର ନିଜ ପାଖରେ ରଖେ, ଯାହାଫଳରେ ବ୍ୟାଙ୍କର ଟଙ୍କା ସୁରକ୍ଷିତ ରହିଥାଏ।

ବିନା ଡକ୍ୟୁମେଣ୍ଟରେ ଲୋନ ମିଳିବା ସମ୍ଭବ କି?
ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ବିନା ପ୍ରପର୍ଟି ଡକ୍ୟୁମେଣ୍ଟରେ ହୋମ ଲୋନ ମିଳିବା ଅସମ୍ଭବ। କୌଣସି ବି ପରିସ୍ଥିତିରେ ବ୍ୟାଙ୍କ ବିନା ଯାଞ୍ଚରେ ଋଣ ପ୍ରଦାନ କରେ ନାହିଁ, କାରଣ ଏହା ବ୍ୟାଙ୍କ ପାଇଁ ଆର୍ଥିକ ବିପଦ ସୃଷ୍ଟି କରିପାରେ।

ବିକଳ୍ପ ବ୍ୟବସ୍ଥା: ଇନଷ୍ଟାଣ୍ଟ ହୋମ ଲୋନ (Instant Home Loan)
ଯଦି ଆପଣ ଏପର୍ଯ୍ୟନ୍ତ କୌଣସି ଘର କିମ୍ବା ଜମି ପସନ୍ଦ କରିନାହାନ୍ତି, କିନ୍ତୁ ନିଜର ବଜେଟ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ ‘ଇନଷ୍ଟାଣ୍ଟ ହୋମ ଲୋନ’ ପାଇଁ ଆବେଦନ କରିପାରିବେ।

ଏଥିରେ ବ୍ୟାଙ୍କ ଆପଣଙ୍କ ଆୟ ଏବଂ ଯୋଗ୍ୟତା ଆଧାରରେ ଏକ ଅନୁମାନିତ ଋଣ ରାଶି (Pre-approved amount) ଧାର୍ଯ୍ୟ କରିଦିଏ। ଏହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣ କେତେ ଟଙ୍କା ପର୍ଯ୍ୟନ୍ତ ଘର କିଣିବା ପାଇଁ ସକ୍ଷମ।

Dharitri – Odisha’s No.1 Odia Daily

Share