ମନରେଗା ଯୋଜନାରେ ଅନିୟମିତତା : ଏନଏମଏମଏସରେ ଚଞ୍ଚକତା କରି ଅର୍ଥ ହରିଲୁଟ

ଥୁଆମୂଳ ରାମପୁର,୨୮।୪(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାକୁ ସଫଳ ରୂପାୟନ କରିବା ନିମନ୍ତେ ଗାଁସାଥି ଭାବରେ ଜଣେ ଲୋକଙ୍କୁ ଚୟନ କରାଯାଇଛି। କିନ୍ତୁ ଏହି ଗାଁସାଥିଙ୍କ ଦୌରାତ୍ମ୍ୟ ଯୋଗୁ ମନରେଗା ଯୋଜନା ବାଟବଣା ହେଉଥିବା ଅଭିଯୋଗ ଆସୁଛି। କେଉଁଠି ଗାଁସାଥୀ ନିଜେ ଠିକାଦାର ସାଜିଛନ୍ତି ତ କେଉଁଠି ନିଜ ଉପସ୍ଥିତିରେ ନିମ୍ନମାନର କିମ୍ବା ଅନିୟମିତତା କରୁଛନ୍ତି। ଗାଁସାଥୀଙ୍କ ଏଭଳି କାର୍ଯ୍ୟକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଏଥିରେ ଅଙ୍କୁଶ ଲଗା ଯାଉ ନ ଥିବା ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସଦର ଗ୍ରାମପଞ୍ଚାୟତ ସମେତ ବ୍ଲକର
କାଣୀଗୁମା, କିଆପଦର, ସିନ୍ଧିପଦର, ଗୋପାଳପୁର, ତଳନାଗି, ମାଳିଗାଁ, ସିଲେଟ ଭଳି ଅନେକ ଗ୍ରାମପଞ୍ଚାୟତରେ କିଛି ଗାଁସାଥି ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ଏଭଳି କାମ l ମନରେଗା ଯୋଜନାରେ ଗାଁସାଥି, ଜିଆର୍‌ଏସ, ଏଡିଇଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ମିଶି ପ୍ରତ୍ୟେକ କାର୍ଯ୍ୟରେ ଚଞ୍ଚକତା କରି ଯୋଜନାରୁ ଟଙ୍କା ଉଠାଉଥିବା ଜଣାପଡିଛି।

ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗାଁସାଥୀମାନେ ପ୍ରକୃତ ଶ୍ରମିକଙ୍କ ଫଟୋ ବଦଳରେ ମୋବାଇଲ ଫଟୋକୁ ପୁଣି ଫଟୋ ଉଠାଇବା, ଜଣେ ଜଣେ ଶ୍ରମିକ ଏକା ଥରେକେ ଅନେକ ୱାର୍କ ସାଇଡରେ ଛିଡ଼ା ହୋଇ ଫଟୋ ଦେବା, ସରକାରୀ ପେନସନ ପାଉଥିବା ବୃଦ୍ଧ, ବୃଦ୍ଧା, ଛୋଟ ଛୋଟ ସ୍କୁଲ ଛୁଆଙ୍କୁ ଛିଡାକରି ଫୋଟୋ ଉଠାଇ ଅପଲୋଡ଼ କରିବା ଭଳି ଅନେକ ଘଟଣା ଗାଁ ସାଥୀମାନେ ମନଇଚ୍ଛା ଶ୍ରମିକ ହିସାବରେ ସେମାନଙ୍କ ଫଟୋକୁ ମନରେଗା ମୋବାଇଲ ମନିଟରିଂ ସିଷ୍ଟମ (ଏନଏମଏମଏସ) ରେ ଅପଲୋଡ଼ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି।

ଏହାକୁ ନେଇ ଆମ ପ୍ରତିନିଧି କିଛି ଗାଁସାଥୀଙ୍କୁ ଏବିଷୟରେ ପଚାରିବାରୁ ସନ୍ତୋଷ ଜନକ ଉତ୍ତର ପାଇ ନଥିବା ବେଳେ ଏସମ୍ପର୍କରେ ଥୁଆମୂଳ ରାମପୁର ଗ୍ରାମ ପଞ୍ଚାୟତ ଏଡିଇଓ ଭାଗିରଥି ଧଙ୍ଗଡା ମାଝୀ, ତଳନାଗି ଏଡିଇଓ ତୃପ୍ତି ରଞ୍ଜନ ଅଧିକାରୀ, ଗୋପାଳପୁର – ସିନ୍ଧିପଦର ଜିଆର୍‌ ଏସ ବୈକୁଣ୍ଠ ଦିଶାରିଙ୍କୁ ଯୋଗାଯୋଗ କରି ପଚାରିବାରୁ ହଁ ଏମିତି ତ ହେବା କଥା ନୁହଁ ଆମେ ଦୃଷ୍ଟି ଦେବୁ ବୋଲି କହିଥିଲେ।

ସେହିପରି ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଏବଂ ବ୍ଲକ ଅଧକ୍ଷ ଦୟାନିଧି ମାଝୀଙ୍କୁ ଏ ବିଷୟରେ ଅବଗତ କରାଯିବାରୁ ଆମେ ତଦନ୍ତ କରିବୁ ଏବଂ ସଂପୃକ୍ତ ଗାଁ ସାଥୀ ଏବଂ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି l

Share