ତେହରାନ୍,୧୬ା୩: ଇରାନ୍-ଆମେରିକା ଯୁଦ୍ଧ ରବିବାର ୧୬ ଦିନ ଅତିକ୍ରମ କରିଥିଲାବେଳେ ଆମେରିକାର ବିଭିନ୍ନ ଠିକଣା ସମେତ ଇସ୍ରାଏଲ ଉପରେ ଇରାନ୍ର ଆକ୍ରମଣ ଜାରି ରହିଛି। ଏହାମଧ୍ୟରେ ଇରାନ୍ର ଇସ୍ଲାମିକ୍ ରିଭୋଲ୍ୟୁଶନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି) ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଟାର୍ଗେଟ କରି ଆକ୍ରମଣକୁ ଆହୁରି ଜୋର୍ଦାର କରିଛି। କିଛି ଦିନ ହେଲା ନେତାନ୍ୟାହୁ ସାମ୍ନାକୁ ଆସୁ ନ ଥିବାରୁ ତାଙ୍କର ଅବସ୍ଥିତିକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଥିଲା। ଗତ ଶୁକ୍ରବାର ନେତାନ୍ୟାହୁ ଯୁଦ୍ଧ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ପରେ ଆଉ ସାମ୍ନାକୁ ଆସି ନ ଥିଲେ। ଯାହାକୁ ନେଇ ତାଙ୍କ ଅବସ୍ଥିତି ସମ୍ପର୍କରେ ସୋସିଆଲ ମିଡିଆରେ ନାନା ଖବର ପ୍ରଚାରିତ ହୋଇଥିଲା। ଏପରିକି ଇରାନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇସାରିଥିବା ମଧ୍ୟ କୁହାଯାଇଥିଲା। ହେଲେ ଏଭଳି ଖବରକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିବା ପରେ ଆଇଆର୍ଜିସି ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ପଣ କରିଛି। ଇରାନ୍ରେ ଅନେକ ଶହ ଶିଶୁଙ୍କୁ ହତ୍ୟା କରିଥିବା ନେତାନ୍ୟାହୁଙ୍କୁ ଯେକୌଣସିମତେ ହତ୍ୟା କରାଯିବ ବୋଲି ରବିବାର ଆଇଆର୍ଜିସି କହିଛି। ସେ ଯେଉଁଠି ବି ଥାଆନ୍ତୁ , ତାଙ୍କୁ ହତ୍ୟା କରିବାକୁ ଆଇଆର୍ଜିସି ସଙ୍କଳ୍ପବଦ୍ଧ ବୋଲି ଏହାର ଜଣେ ବରିଷ୍ଠ ଅଧିକାରୀ ଦୃଢ଼ୋକ୍ତି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହାମଧ୍ୟରେ ଇରାନ୍ ଉପସାଗରୀୟ ଦେଶଗୁଡିକରେ ରହିଥିବା ଆମେରିକାର ସାମରିକ ଘାଟି ଉପରେ ପୂର୍ବ ତୁଳନାରେ ଆକ୍ରମଣକୁ ଆହୁରି ଜୋର୍ଦାର କରିବା ସହ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣକୁ ତୀବ୍ର କରିଛି। ଏପରିକି ନୂଆ ଏବଂ ଅଧିକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଉଥିବା କୁହାଯାଇଛି।
ସେନା ବହୁମୁଖୀ ଲଢ଼େଇ କରିବା ସହିତ ବୈଶ୍ୱିକ ଅର୍ଥନୈତିକ ଧାରାକୁ ବଦଳାଇ ଆମେରିକା ଉପରେ ଚାପ ପକାଇବା ଲାଗି ଯେଉଁ ରଣନୀତି ଆପଣେଇଛି, ତାହା ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି। ବିଶେଷକରି ହର୍ମୁଜ୍ ଷ୍ଟ୍ରେଟ୍କୁ ଅବରୋଧ କରି ତୈଳ ଯୋଗାଣ ଶୃଙ୍ଖଳ ବ୍ୟାହତ କରିବା ଏବଂ ସାଉଦି ଆରବ, ୟୁଏଇ, କାତାର,କୁଏଟ୍ ଏବଂ ବାହାରିନ୍ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶଗୁଡିକ ଉପରେ ଘନ ଘନ ଆକ୍ରମଣ ମଧ୍ୟପ୍ରାଚ୍ୟ ସ୍ଥିତିକୁ ଗମ୍ଭୀର କରିବାରେ ଲାଗିଛି। ସବୁଠୁ ବଡ଼ କଥା ହେଲା, ଇରାନ୍ ଏବେ କୌଣସି ବୁଝାମଣା କରିବାକୁ ପ୍ରସ୍ତୁତ ନାହିଁ। ବର୍ତ୍ତମାନ ସ୍ଥିତିରେ ଇରାନ୍ ବୁଝାମଣା କରିବାକୁ ଚାହୁଁଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରୋକ୍ଷରେ ଇଙ୍ଗିତ କରିଥିଲେ ହେଁ, ଇରାନ୍ ଏହାକୁ ଅସ୍ବୀକାର କରିଛି।