ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ ଥର ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଟାଇଟଲ ଜିତିବା ଲାଗି ଆଶା ବଢ଼ାଇଛି। ଏଥିଲାଗି ପଞ୍ଜବା ନେତୃତ୍ୱରେ ସ୍ପଷ୍ଟତା ଓ ଶକ୍ତିଶାଳୀ ଦଳ ଗଠନକୁ ପଠାନ ଶ୍ରେୟ ଦେଇଛନ୍ତି। ପଞ୍ଜାବ ଗତ ସିଜନରେ ରନରଅପ୍ ଭାବେ ଅଭିଯାନ ଶେଷ କରିଥିଲା।
ପଞ୍ଜାବ ଦଳର ପ୍ରଦର୍ଶନରେ ଦେଖାଦେଇଥିବା ପରିବର୍ତ୍ତନ ପଛରେ ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅକ୍ସନ ଟେବୁଲରେ ଅଧା ଆଇପିଏଲ୍ ଜିତାଯାଏ। ଅକ୍ସନରେ ବଡ଼ ପର୍ସ ଦରକାର ନାହିଁ। ସେମାନଙ୍କୁ ଯେଉଁଭଳି ଖେଳାଳି ଦରକାର ଥିଲେ ମିଳିଲେ ଏବଂ ସେମାନେ ଫାଇନାଲରେ ପହଞ୍ଚିଲେ। ସେମାନେ ଖୁବ ବଡ଼ ନିଷ୍ପତ୍ତି ନେଇଥିଲେ। ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଗ୍ଲେନ ମ୍ୟାକ୍ସଓ୍ୱେଲଙ୍କ ଭଳି ଖେଳାଳିଙ୍କୁ ସେମାନେ ବାଦ୍ ଦେଇଥିଲେ। ବର୍ତ୍ତମାନ ସେମାନଙ୍କ ପାଖରେ ଆଜମତୁଲା ଓମାରଜାଇ, ମାର୍କୋ ଜାନସେନ, ମାର୍କସ ଷ୍ଟୋଇନିସଙ୍କ ଭଳି ବିଦେଶୀ ଅଲରାଉଣ୍ଡର ରହିଛନ୍ତି। ସେମାନେ ଶ୍ରେୟସ ଆୟାରଙ୍କୁ ଦଳର କ୍ୟାପ୍ଟେନ କରିବା ପାଇଁ ମୋଟ ଅଙ୍କର ଅର୍ଥ ଖର୍ଚ୍ଚ କରିଥିଲେ। ବର୍ତ୍ତମାନ ଏହି ଦଳର ଚିନ୍ତାଧାରାରେ ସ୍ପଷ୍ଟତା ଆସିଛି। ମୋ ମତରେ ପଞ୍ଜାବ ବର୍ତ୍ତମାନ ଉଚିତ ଦିଗରେ ଆଗେଇବା ଆରମ୍ଭ କରିଛି ବୋଲି ପଠାନ କହିଛନ୍ତି।