ନୂଆଦିଲ୍ଲୀ,୧୪।୧୦: ଦିପାବଳୀ ଏବଂ ଛଠ ପର୍ବ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଘରକୁ ଫେରିଥାନ୍ତି। ଫଳରେ ସବୁଠୁ ବଡ଼ ସମସ୍ୟା ପାଲଟିଥାଏ କନଫର୍ମ ଟିକେଟ ପାଇବା। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବା ସତ୍ତ୍ୱେ ଅନେକ ଯାତ୍ରୀ ଟିକେଟ ପାଇପାରନ୍ତି ନାହିଁ। ଏପରି ସ୍ଥିତିରେ ଅନେକେ ଏଜେଣ୍ଟଙ୍କ ମାଧ୍ୟମରେ ଟିକେଟ ବୁକ କରିବାକୁ ବାଧ୍ୟ ହୁଅନ୍ତି। ଯଦି ଆପଣ ମଧ୍ୟ ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକ କରିବାକୁ ଯୋଜନା କରୁଛନ୍ତି, ତେବେ IRCTC ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲର୍ଟ ଜାରି କରାଯାଇଛି, ଯାହାକୁ ଆପଣ ଜାଣିବା ଜରୁରୀ।
ଉତ୍ସବ ଋତୁରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି IRCTC ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। IRCTC କହିଛି ଯେ କିଛି ନକଲି ଏଜେଣ୍ଟ ନିଜକୁ ଅଧିକୃତ ଏଜେଣ୍ଟ ଦାବି କରି ଲୋକଙ୍କୁ ଠକୁଛନ୍ତି। ଏମାନେ ବ୍ୟକ୍ତିଗତ ଆଇଡି ବ୍ୟବହାର କରି ଟିକେଟ ବୁକ କରି ଅଧିକ ଦାମରେ ବିକ୍ରି କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ଆଇନଗତ ଅପରାଧ। ଏହା ଦ୍ୱାରା ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତା ମଧ୍ୟ ବିପଦରେ ପଡ଼ିପାରେ।
ନକଲି ଏଜେଣ୍ଟଙ୍କୁ କିପରି ଚିହ୍ନିବେ?
-IRCTC ଅନୁଯାୟୀ: ଯଦି ଟିକେଟରେ “Normal User” ଲେଖା ଥାଏ, ତେବେ ଏହାର ଅର୍ଥ ଟିକେଟଟି ସାଧାରଣ ବ୍ୟବହାରକାରୀଙ୍କ ଦ୍ୱାରା ବୁକ ହୋଇଛି।
-ଯଦି ଟିକେଟ ଅଧିକୃତ ଏଜେଣ୍ଟଙ୍କ ଦ୍ୱାରା ବୁକ ହୋଇଛି, ତେବେ ଏଜେଣ୍ଟଙ୍କ ନାମ, ଠିକଣା ଓ ଏଜେନ୍ସି କୋଡ ଟିକେଟରେ ସ୍ପଷ୍ଟ ଭାବେ ଲେଖା ରହିବ।
-ଅଧିକୃତ ଏଜେଣ୍ଟମାନେ ତତ୍କାଳ ବୁକିଂର ପ୍ରଥମ ୩୦ ମିନିଟ ଓ ସାଧାରଣ ଟିକେଟ ବୁକିଂର ପ୍ରଥମ ୧୦ ମିନିଟ ମଧ୍ୟରେ ଟିକେଟ ବୁକ୍ କରିପାରିବେ ନାହିଁ।
IRCTC ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ ଯଦି କୌଣସି ବ୍ୟକ୍ତି ବ୍ୟକ୍ତିଗତ ଆଇଡି ବ୍ୟବହାର କରି ଟିକେଟ ବୁକ୍ କରି ଅଧିକ ଦାମରେ ବିକ୍ରି କରେ, ତେବେ ଏହା ସମ୍ପୂର୍ଣ୍ଣ ଅପରାଧ। ଏପରି କାର୍ଯ୍ୟରେ ଜଡ଼ିତ ବ୍ୟକ୍ତି ବା ଦୋକାନ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ଏହାର କ୍ଷତି ଭୋଗିବାକୁ ପଡ଼ିପାରେ।
IRCTC ସୋସିଆଲ ମିଡିଆରେ ପୋଷ୍ଟ କରି ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକ୍ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଏଜେଣ୍ଟ ଅଧିକୃତ କି ନୁହେଁ। ସତର୍କ ରହି ନିଜର ବ୍ୟକ୍ତିଗତ ତଥ୍ୟ ଓ ଅର୍ଥକୁ ସୁରକ୍ଷିତ ରଖନ୍ତୁ।
Dharitri – Odisha’s No.1 Odia Daily