ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଉଭୟ ଦେଶ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି । ଏହି ସମୟରେ, ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନି ଦେଶର ସମସ୍ତ ସାମରିକ ୟୁନିଟକୁ ତୁରନ୍ତ ଗୁଳି ବିନିମୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରାୟତ୍ତ ପ୍ରସାରକ ଇସଲାମିକ ରିପବ୍ଲିକ ଅଫ୍ ଇରାନ ବ୍ରଡକାଷ୍ଟିଂ (IRIB) ରେ ଜାରି ଏକ ବିବୃତ୍ତିରେ ଖାମେନି କହିଛନ୍ତି ଯେ ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ ସମସ୍ତ ସାମରିକ ଶାଖା ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶ ପାଳନ କରିବା ସହ ଫାୟାରିଂ ବନ୍ଦ କରିବା ଉଚିତ।
ତେବେ ସବୁଠୁ ବଡ କଥା ହେଉଛି ଯୁଦ୍ଧବିରତି ସତ୍ତ୍ୱେ, ଇରାନ ଯୁଦ୍ଧକୁ ନେଇ ଏକ କଡ଼ା ଚେତାବନୀ ଦେଇଛି । ଏନେଇ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି ଯେ ଏହି ପଦକ୍ଷେପ ଯୁଦ୍ଧର ଶେଷ ହେବାର ସଙ୍କେତ ଦେଉନାହିଁ ଏବଂ ଆମେରିକା କିମ୍ବା ଇସ୍ରାଏଲର ଯେକୌଣସି ଭୁଲକୁ ପୂର୍ଣ୍ଣ ବଳ ସହକାରେ ମୁକାବିଲା କରାଯିବ । ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, “ଆମର ଆଙ୍ଗୁଠି ଟ୍ରିଗର ଉପରେ ଅଛି ଏବଂ ଶତ୍ରୁର ଯେକୌଣସି ଭୁଲର ଉପଯୁକ୍ତ ଜବାବ ଦିଆଯିବ।”
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭୋରରୁ ଏହି ଯୁଦ୍ଧବିରତି ଘୋଷଣା କରିଛନ୍ତି । ସେ ଏହାକୁ ଉଭୟ ପକ୍ଷ ମଧ୍ୟରେ ଏକ ଯୁଦ୍ଧବିରତି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆମେରିକା ଏହାର ସାମରିକ ଉଦ୍ଦେଶ୍ୟ ହାସଲ କରିସାରିଛି ଏବଂ ଏବେ ଏକ ଦୀର୍ଘକାଳୀନ ଶାନ୍ତି ଚୁକ୍ତିନାମା ଆଡ଼କୁ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଛି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ପାଇଁ ମୋଟ୍ ଦୁଇ ସପ୍ତାହ ଆବଶ୍ୟକ । ତେବେ, ସେ ସର୍ତ୍ତ ରଖିଛନ୍ତି ଯେ ଇରାନକୁ ସମ୍ପୂର୍ଣ୍ଣ, ତୁରନ୍ତ ଏବଂ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ପଡିବ ।