ଇରାନର ନିର୍ବାସିତ ଯୁବରାଜ

ଇରାନରେ ଅର୍ଥନୈତିକ ସମସ୍ୟା ତୀବ୍ର ରୂପ ଧାରଣ କରିବା ସହ ଏହାର ମୁଦ୍ରା ‘ରିୟାଲ’ର ମୂଲ୍ୟ ବହୁ ମାତ୍ରାରେ ହ୍ରାସପାଇବା ପରେ ସେଠାରେ ଅରାଜକତା ସୃଷ୍ଟି ହୋଇଛି। ସାମଗ୍ରୀ ଦରଦାମ୍‌ ବଢ଼ିବା ସହ ନିଯୁକ୍ତି ସଙ୍କୁଚିତ ହୋଇଯାଇଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନେଇଙ୍କ ନେତୃତ୍ୱାଧୀନ ଇସ୍‌ଲାମିକ ଗଣତନ୍ତ୍ରରେ ଅର୍ଥନୈତିକ ଅବନତି ଓ ମୁଦ୍ରାର ଘୋର ପତନ ହୋଇଥିବାରୁ ତାଙ୍କୁ ହଟାଇବାକୁ ଦେଶବାସୀ ବଜ୍ର ଶପଥ ନେଇଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ମହିଳାମାନେ ଖାମେନେଇଙ୍କ ପୋଷ୍ଟରକୁ ସିଗାରେଟ୍‌ ନିଅଁାରେ ଜଳାଇ ଦେଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ଭାଇରାଲ ହୋଇଛି। ଗତ ଦୁଇ ସପ୍ତାହ ଧରି ଦେଶବ୍ୟାପୀ ପ୍ରତିବାଦରେ ୫୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହି ବିକ୍ଷୋଭକୁ ତୀବ୍ରତର କରିବା ଲାଗି ନିର୍ବାସିତ ଯୁବରାଜ ରେଜା ପହଲଭି ଆହ୍ବାନ ଦେବା ପରେ ସ୍ଥିତି ଅଣାୟତ୍ତ ହୋଇଛି। ଅନେକଙ୍କ ମନରେ ପ୍ରଶ୍ନ ହେବା ସ୍ବାଭାବିକ ଯେ ଏହି ନିର୍ବାସିତ ଯୁବରାଜ କାହିଁକି ଏଭଳି ଡାକରା ଦେଇଛନ୍ତି। ଇତିହାସ ଦେଖିଲେ ୧୯୭୯ ‘ଇସ୍‌ଲାମିକ୍‌ ରିଭଲ୍ୟୁଶନ’କୁ ମନେପକାଇ ଦିଆଯାଇପାରେ। ମହମ୍ମଦ ରେଜା ପହଲଭି ଥିଲେ ଇରାନର ଶେଷ ରାଜା। ଧର୍ମଗୁରୁ ଆୟାତୋଲ୍ଲା ରୋହାଲ୍ଲା ଖୋମେଇନି ରାଜାଙ୍କ ଶାସନକୁ ବିରୋଧ କରି ରାଜତନ୍ତ୍ରକୁ ଫିଙ୍ଗିଦେଇଥିଲେ। ଫଳରେ ସେଠାରେ ଖୋମେଇନିଙ୍କ ଆଶୀର୍ବାଦରେ ଧର୍ମୀୟ ଶାସନ ଗଠନ ହୋଇଥିଲା। ସେଥିରେ ନୂଆ ପାର୍ଲାମେଣ୍ଟ ଓ ନିର୍ବାଚିତ ରାଷ୍ଟ୍ରପତି ରହିଲେ। ହେଲେ ସବୁକିଛି ଧର୍ମୀୟ ନେତାଙ୍କ ନିୟନ୍ତ୍ରଣରେ ରହିଲା। ଯେଉଁ ପ୍ରତିଶ୍ରୁତି ଦେଇ ସରକାର କ୍ଷମତାକୁ ଆସିଥିଲେ କ୍ରମେ ଭୁଲିବାକୁ ଲାଗିଲେ। ପରେ ଅନେକ ପ୍ରତିବାଦ ଘଟିଛି। ସମୟ କ୍ରମେ ଆୟାତୋଲ୍ଲା ଅଲ୍ଲି ଖାମେନେଇ ଧର୍ମୀୟ ଗୁରୁ ହୋଇ ସେଠାକାର ସରକାରକୁ ଚଳାଇଲେ। ଆଜି ସ୍ଥିତି ବିଗଡ଼ିଯିବା ପଛରେ ଖାମେନେଇଙ୍କ ଭୂମିକା ରହିଥିବାରୁ ତାଙ୍କୁ ହଟାଇବା ପାଇଁ ଦେଶବାସୀ ଜାଗି ଉଠିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମହମ୍ମଦ ରେଜା ପହଲଭିଙ୍କୁ ଗାଦିଚ୍ୟୁତ କରାଗଲା ବେଳେ ଆମେରିକାରେ ଦୀର୍ଘ ୫୦ ବର୍ଷ ଧରି ନିର୍ବାସିତ ଥିବା ଯୁବରାଜ ରେଜା ପହଲଭି ଦେଶକୁ ଫେରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ସେ ଆହ୍ବାନ ଦେଇଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ସାମ୍ବିଧାନିକ ନିୟମ ଅନୁଯାୟୀ ରାଜତନ୍ତ୍ର ହେଉ ବା ଗଣତନ୍ତ୍ର ନିତାନ୍ତ ଆବଶ୍ୟକ। ସେଥିଲାଗି ଗଣଭୋଟ ହେବା ଦରକାର ବୋଲି ଯୁବରାଜ କହିବା ପରେ ତାଙ୍କ ଭୂମିକା ଖୁବ୍‌ ଚର୍ଚ୍ଚାକୁ ଆସିଛି।
ନିର୍ବାସିତ ଯୁବରାଜ ରେଜା ପହଲଭି ୧୯୭୯ ମସିହାରୁ ନିର୍ବାସନରେ ଅଛନ୍ତି।
ସେ ୧୯୬୦ ଅକ୍ଟୋବର ୩୧ ତାରିଖରେ ତେହେରାନରେ ଜନ୍ମଗ୍ରହଣ କରିଥିଲେ। ସେ ଇରାନର ଶେଷ ଶାହ ମହମ୍ମଦ ରେଜା ପହଲଭି ଓ ସମ୍ରାଟ ଫରାହ ପହଲଭିଙ୍କ ଉତ୍ତରାଧିକାରୀ ଭାବେ ଜନ୍ମ ନେଇଥିଲେ। ୧୯୬୭ ମସିହାରେ ତାଙ୍କ ପିତାଙ୍କ ରାଜ୍ୟାଭିଷେକ ସମୟରେ ସେ ଆଧିକାରିକ ଭାବେ ଯୁବରାଜ ନିଯୁକ୍ତ ହୋଇଥିଲେ।
୧୯୭୮ରେ ୧୭ ବର୍ଷ ବୟସରେ ସେ ଆମେରିକା ବାୟୁସେନାରେ ଜେଟ୍‌ ଫାଇଟର ପ୍ରଶିକ୍ଷଣ ପାଇଁ ଇରାନ ଛାଡ଼ିଥିଲେ। ସେହି ସମୟରେ ଇରାନରେ ଅଶାନ୍ତି ବଢ଼ିବାରୁ ରାଜପରିବାର ମଧ୍ୟ ଜାନୁଆରୀ ୧୯୭୯ରେ ଦେଶ ଛାଡ଼ିଥିଲେ। ଏହି ସମୟରେ ଇସ୍‌ଲାମୀୟମାନେ କ୍ଷମତା ଦଖଲ କରି ଏକ ଧର୍ମୀୟ ଶାସନ ପ୍ରତିଷ୍ଠା କରିବାରୁ ଯୁବରାଜ ରେଜା ପହଲଭି ଦେଶକୁ ଫେରିପାରିଲେ ନାହିଁ।
ଯେତେବେଳେ ଧର୍ମୀୟ ଅନୁଶାସନରେ ପରିଚାଳିତ ସରକାରରେ ଅର୍ଥନୈତିକ ଦୁଃସ୍ଥିତି ବଢ଼ିଲା ଓ ଲୋକେ ସେମାନଙ୍କ ଶାସକଙ୍କ ଉପରେ କ୍ରୋଧ ପ୍ରକଟ କଲେ, ସେତେବେଳେ ଯୁବରାଜ ଆଗକୁ ଆସିବାକୁ ଉଚିତ ମଣିଲେ। ବର୍ତ୍ତମାନ ସେ ଅହିଂସାତ୍ମକ ପଦକ୍ଷେପ ମାଧ୍ୟମରେ ଶାସନ ପରିବର୍ତ୍ତନ ପାଇଁ ଆହ୍ବାନ ଦେଉଛନ୍ତି।
ବିଦେଶରେ ଥିବା ଇରାନୀଙ୍କ ମଧ୍ୟରେ ତାଙ୍କର ବହୁ ଅନୁଗାମୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠାକୁ ସମର୍ଥନ କରିଥାଆନ୍ତି। ତେବେ ଦେଶ ଭିତରେ ତାଙ୍କ ଲୋକପ୍ରିୟତା ଅନିଶ୍ଚିତତା ମଧ୍ୟରେ ରହିଥିଲେ ହେଁ ପରିବର୍ତ୍ତନ ବେଳେ କିଛି ବି ଘଟିପାରେ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି।
ଯୁବରାଜଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ସେ ଯୁକ୍ତରାଷ୍ଟ୍ର ବାୟୁସେନାରୁ ତାଲିମ ସମ୍ପନ୍ନ କରିଛନ୍ତି। ୧୯୮୫ରେ ୟୁନିଭର୍ସିଟି ଅଫ୍‌ ସାଉଥ୍‌ କାଲିଫର୍ନିଆରୁ ରାଜନୀତି ବିଜ୍ଞାନରେ ବିଏସ୍‌ସି କରିଥିଲେ। ଜେଟ୍‌ ଫାଇଟର ଉଡ଼ାଣରେ ଦକ୍ଷତା ରଖିଥିବା ରେଜା ପହଲଭି ନିଜ ଦେଶର ଭାଷା ପର୍ସିଆନ୍‌ ଜାଣିବା ସହ ଇଂଲିଶ୍‌ ଓ ଫ୍ରେଞ୍ଚରେ ଦକ୍ଷତା ଅର୍ଜନ କରିଛନ୍ତି।
ସେ ଜଣେ ଦକ୍ଷ ଜେଟ୍‌ ଫାଇଟର ପାଇଲଟ ଭାବେ ଇରାନ-ଇରାକ ଯୁଦ୍ଧ ସମୟରେ ସେନାରେ ଯୋଗଦେବାକୁ ଇଚ୍ଛାବ୍ୟକ୍ତ କରିଥିଲେ। କିନ୍ତୁ ଧର୍ମଗୁରୁ ଶାସନ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା।
ସେ ଇରାନର ସ୍ଥିତି ଉପରେ ତିନୋଟି ପୁସ୍ତକ ଲେଖିଛନ୍ତି- ଗୋଜାସ୍ତେହ ଭା ଆୟନ୍ଦେହ (୨୦୦୦)
ଓ୍ବିଣ୍ଡ୍‌ସ ଅଫ୍‌ ଚେଞ୍ଜ: ଦ ଫ୍ୟୁଚର ଅଫ୍‌ ଡେମୋକ୍ରାସି ଇନ୍‌ ଇରାନ୍‌ (୨୦୦୨)
ଏବଂ ଇରାନ୍‌: ଦ ଡିସାଇଡିଂ ଅନର (୨୦୦୯)।
ବ୍ୟକ୍ତିଗତ ଜୀବନ କହିଲେ ୧୯୮୬ ଜୁନ୍‌ ୧୨ରେ ଯୁବରାଜ ୟାସମିନ ଏତେମାଦ-ଆମିନିଙ୍କୁ ବିବାହ କରିଥିଲେ। ଉଭୟଙ୍କର ନୂର ପହଲଭି, ଇମାନ ପହଲଭି, ଫରାହ ପହଲଭି ନାମରେ ତିନି ଝିଅ ଅଛନ୍ତି।

-ଜିତେନ୍ଦ୍ର କୁମାର ନାୟକ