ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ ଦ୍ୱୀପ’ (Kharg Island) ଉପରେ ଭୟଙ୍କର ବୋମା ମାଡ଼ ହୋଇଛି। ଏହି ଆକ୍ରମଣ ପରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ଆମେରିକାକୁ ଏକ ବଡ଼ ଧରଣର ଯୁଦ୍ଧ ପାଇଁ ଚେତାବନୀ ଦେଇଛି।
ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ,ହର୍ମୁଜ ପ୍ରଣାଳୀରେ ଅବସ୍ଥିତ କ୍ରିଟିକାଲ ଇନଫ୍ରାଷ୍ଟ୍ରକଚର ’ଖାର୍ଗ ଦ୍ୱୀପ’ରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଦ୍ୱୀପକୁ ଇରାନର ‘ଅଏଲ ଲାଇଫ ଲାଇନ’ କୁହାଯାଏ, କାରଣ ଦେଶର ପ୍ରାୟ ୯୦% ତେଲ ରପ୍ତାନି ଏହିଠାରୁ ହିଁ ହୋଇଥାଏ।  ଇରାନ ଅଭିଯୋଗ କରିଛି ଯେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଏହି ଆକ୍ରମଣ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ଯଦି ଇରାନ ତୁରନ୍ତ ହର୍ମୁଜ ପ୍ରଣାଳୀକୁ ନ ଖୋଲେ ଏବଂ ଆମେରିକା ସହ ଚୁକ୍ତି ନ କରେ, ତେବେ ଇରାନର ପାୱାର ପ୍ଲାଣ୍ଟ ଏବଂ ସେତୁ ଗୁଡ଼ିକୁ ଧ୍ୱଂସ କରିଦିଆଯିବ। ସେ ଚେତାବନୀ ଦେଇ କହିଛନ୍ତି, “ଇରାନକୁ ଗୋଟିଏ ରାତିରେ ଶେଷ କରାଯାଇପାରିବ।”
IRGC ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, ଯଦି ଆମେରିକା ସାଧାରଣ ନାଗରିକଙ୍କ ସୁବିଧା ଉପରେ ଆକ୍ରମଣ କରେ, ତେବେ ଇରାନ ମଧ୍ୟ ସମାନ ଜବାବ ଦେବ। ଆମେ ଆମେରିକା ଏବଂ ତା’ର ସହଯୋଗୀଙ୍କ ଭିତ୍ତିଭୂମିର ଏପରି ଅବସ୍ଥା କରିବୁ ଯେ, ସେମାନେ ବହୁ ବର୍ଷ ପର୍ଯ୍ୟନ୍ତ ଏହି ଅଞ୍ଚଳର ତେଲ ଓ ଗ୍ୟାସ ପାଇବାରୁ ବଞ୍ଚିତ ହେବେ। ଇରାନ ଆହୁରି ମଧ୍ୟ କହିଛି ଯେ, ଯଦି ଆମେରିକା ’ରେଡ ଲାଇନ’ ପାର୍‌ କରେ, ତେବେ ସେମାନଙ୍କର ଜବାବ କେବଳ ଏହି ଅଞ୍ଚଳରେ ସୀମିତ ରହିବ ନାହିଁ, ବରଂ ତା’ଠାରୁ ଅଧିକ ଦୂର ପର୍ଯ୍ୟନ୍ତ ଯିବ।
ସୂଚନାଯୋଗ୍ୟ ଯେ, ଗତ କିଛି ସମୟ ଧରି ଇରାନର ରାଜଧାନୀ ତେହେରାନ ଉପରେ କ୍ରମାଗତ ଭାବେ ବାୟୁସେନା ଆକ୍ରମଣ ଜାରି ରହିଛି। ପାହାଡ଼ିଆ ଅଞ୍ଚଳରେ ଥିବା ଅସ୍ତ୍ରଶସ୍ତ୍ର ଭଣ୍ଡାର ସହିତ ଆବାସିକ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରାଯାଉଥିବା ଖବର ମିଳିଛି।  ଏହି ଯୁଦ୍ଧ ପରିସ୍ଥିତି କାରଣରୁ ସାରା ବିଶ୍ୱରେ ଏବେ ଅଶୋଧିତ ତେଲ ଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି।
Dharitri – Odisha’s No.1 Odia Daily