ନୂଆଦିଲ୍ଲୀ,୨୪।୨: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଦିନ କେନ୍ଦ୍ରୀୟ ଇରାନରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରୀୟ ଇରାନର ଏକ ଫଳ ଏବଂ ପନିପରିବା ବଜାରରେ ହେଲିକପ୍ଟରଟି ଖସିପଡ଼ିବାରୁ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଇରାନର ସରକାରୀ ଟେଲିଭିଜନ ଅନୁଯାୟୀ, ଇରାନର ରାଜଧାନୀ ତେହେରାନରୁ ପ୍ରାୟ ୩୩୦କିଲୋମିଟର ଦକ୍ଷିଣରେ ଇସଫାହାନ ପ୍ରଦେଶର ଡୋରଚେ ସହରରେ ଏହି ଦୁର୍ଘଟଣା ଘଟିଛି ।
ଇରାନର ମୁଖ୍ୟ ପରମାଣୁ କେନ୍ଦ୍ର ଇସଫାହାନ ନିକଟରେ ଇରାନୀ ବାୟୁସେନା ଘାଟି ଅବସ୍ଥିତ । ଜୁନ୍ ମାସରେ ଇରାନ-ଇସ୍ରାଏଲ ଯୁଦ୍ଧ ସମୟରେ ଆମେରିକା ଏହି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏହା ଫୋର୍ଡଓ ଏବଂ ନାଟାଞ୍ଜ ପରମାଣୁ କେନ୍ଦ୍ର ଉପରେ ମଧ୍ୟ ବୋମା ମାଡ଼ କରିଥିଲା। ସେନା ହେଲିକପ୍ଟରଟି ତାଲିମ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ପାଇଲଟ୍ ଏବଂ ସହ-ପାଇଲଟ୍ ମୃତ୍ୟୁବରଣ କରିଛନ୍ତି । ଫୁଟେଜରେ ଏକ ବଜାରରୁ ହେଲିକପ୍ଟରର ଭଗ୍ନାବଶେଷ ଏବଂ ଧୂଆଁ ବାହାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବଜାରରେ ଠିଆ ହୋଇଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏହା ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଇରାନରେ ଦ୍ୱିତୀୟ ଦୁର୍ଘଟଣା।