ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା କରିନାହିଁ ବରଂ ଆମେରିକାକୁ ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ମଧ୍ୟ ଦେଇଛି। ଏହାକୁ ଏକ ମୂର୍ଖତାପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରି ଇରାନ କହିଛି ଯେ ଏପରି କାର୍ଯ୍ୟ ଆମେରିକା ପାଇଁ ନର୍କର ଦ୍ୱାର ଖୋଲିଦେବ । ଟ୍ରମ୍ପ ଧମକ ଦେଇଥିଲେ ଯେ ଯଦି ଇରାନ ୪୮ ଘଣ୍ଟା ମଧ୍ୟରେ ଏକ ଶାନ୍ତି ଚୁକ୍ତିରେ ରାଜି ନ ହୁଏ, ତେବେ ସେ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନଷ୍ଟ କରିଦେବ ।
ଖାତମ ଅଲ-ଆନବିୟା କେନ୍ଦ୍ରୀୟ ମୁଖ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ, ଇରାନୀ ସାମରିକ ଜେନେରାଲ ଅଲି ଅବଦୋଲ୍ଲାହି ଅଲିବାଦି କହିଛନ୍ତି ଯେ ଟ୍ରମ୍ପଙ୍କ ଧମକ ଏକ ଅସହାୟ, ଆତଙ୍କିତ, ଅସନ୍ତୁଳିତ ଏବଂ ମୂର୍ଖତାପୂର୍ଣ୍ଣ କାର୍ଯ୍ୟ। ସେ ଚେତାବନୀ ଦେଇ କହିଛନ୍ତି, “ଏହି ବାର୍ତ୍ତାର ସରଳ ଅର୍ଥ ହେଉଛି ଯେ ଆପଣଙ୍କ ପାଇଁ ନର୍କର ଦ୍ୱାର ଖୋଲିଯିବ।”
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏକ ଧମକପୂର୍ଣ୍ଣ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଏକ ଚେତାବନୀ ଦେଇଥିଲେ । ହରମୁଜ୍ ପ୍ରଣାଳୀ ଖୋଲିବା ପାଇଁ ୪୮ ଘଣ୍ଟା ସମୟ ଦେଇଥିଲେ । ଇରାନକୁ ଚେତାବନୀ ଦେଇ ଟ୍ରମ୍ପ କହିଥିଲେ, ମନେରଖ, ମୁଁ ଯେତେବେଳେ ଇରାନକୁ ଏକ ଚୁକ୍ତି କରିବାକୁ କିମ୍ବା ହରମୁଜ୍ ପ୍ରଣାଳୀ ଖୋଲିବା ପାଇଁ ୧୦ ଦିନ ସମୟ ଦେଇଥିଲି । ଏବେ, ସମୟ ସରି ଆସୁଛି । କେବଳ ୪୮ ଘଣ୍ଟା ବାକି ଅଛି।