ତେହରାନ,୧୪ା୧: ଇରାନରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ସରକାର ବିରୋଧୀ ବିକ୍ଷୋଭ ଲାଗିରହିଥିବାବେଳେ ଏହାକୁ ଦମନ କରିବାକୁ ବଳ ପ୍ରୟୋଗ କରାଯାଉଛି। ବିକ୍ଷୋଭ ବେଳେ ସଂଘର୍ଷରେ ୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ କେତେଜଣ ସୁରକ୍ଷା କର୍ମୀ ଥିବା ଏହାର ଜଣେ ଅଫିସର କହିଛନ୍ତି। ବିକ୍ଷୋଭକୁ ଦମନ କରିବାକୁ ବଳପ୍ରୟୋଗ କରାଯାଉଥିବା ନେଇ ଇରାନ କର୍ତ୍ତୃପକ୍ଷ ପ୍ରଥମ ଥର ସ୍ବୀକାର କରିଛନ୍ତି। ଉଭୟ ବିକ୍ଷୋଭକାରୀ ଏବଂ ସୈନ୍ୟଙ୍କ ମୃତ୍ୟୁ ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଇରାନ ଅଧିକାରୀମାନେ କହିଛନ୍ତି। ଇରାନର ସୁପ୍ରିମ ଲିଡର ଆୟାତୋଲା ଅଲି ଖାମେନେଇ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସଂଗୃହୀତ ତଥ୍ୟ ଆଧାରରେ ଇରାନ ଇଣ୍ଟରନ୍ୟାଶନାଲ ଏହି ରିପୋର୍ଟ କରିଛି। ସରକାରଙ୍କ ସମସ୍ତ ୩ ବିଭାଗ ମୁଖ୍ୟଙ୍କ ସ୍ବୀକୃତି ଏବଂ ଅନୁମୋଦନ କ୍ରମେ ସୁପ୍ରିମ ଲିଡର ଖାମେନେଇ ବିକ୍ଷୋଭକାରୀଙ୍କ ଉପରେ ଜୀବନ୍ତ ଗୁଳିଚାଳନା କରିବାକୁ ଇସ୍ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍ ଏବଂ ବାସିଜ ମିଲିସିଆ ପ୍ରାଇମେରିକୁ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ କୁହାଯାଇଛି।
ଇରାନ ସରକାର ୩ ବର୍ଷ ହେଲା ସର୍ବବୃହତ୍ ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଆସୁଛନ୍ତି। ଗତବର୍ଷ ଇସ୍ରାଏଲ ଓ ଆମେରିକା ମଧ୍ୟରେ ସଂଘର୍ଷ ପରେ ଅନ୍ତର୍ଜାତୀୟ ଚାପ ବଢ଼ିଛି। ଫଳରେ ଗୁରୁତର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଥିବା ଇରାନରେ ନାଗରିକ ଅଶାନ୍ତି ବୃଦ୍ଧି ପାଇଛି। ୧୯୭୯ ଇସ୍ଲାମୀୟ ବିପ୍ଳବଠାରୁ ଦେଶକୁ ଶାସନ କରିଆସୁଥିବା ଇରାନର ଧର୍ମୀୟ କର୍ତ୍ତୃପକ୍ଷ ଆନ୍ଦୋଳନ ପ୍ରତି ଦ୍ୱୈତ ଆଭିମୁଖ୍ୟ ଆପଣାଇବାକୁ ଉଦ୍ୟମ କରୁଛନ୍ତି। ଆର୍ଥତ୍କ ସମସ୍ୟାକୁ ନେଇ ହେଉଥିବା ଆନ୍ଦୋଳନକୁ ସରକାର ବୈଧ କହୁଥିବାବେଳେ ବିକ୍ଷୋଭକୁ ଦମନ କରିବା ପାଇଁ ବଳ ପ୍ରୟୋଗ କରୁଛନ୍ତି। ଅପରପକ୍ଷରେ ଆମେରିକା ଏବଂ ଇସ୍ରାଏଲ୍ ଅଶାନ୍ତି ସୃଷ୍ଟି କରାଉଥିବା ସରକାର ଅଭିଯୋଗ କରିଛନ୍ତି। ଅଜଣା ଆତଙ୍କବାଦୀ ବିକ୍ଷୋଭକୁ ହାଇଜାକ୍ କରୁଥିବା ସରକାର କହିଛନ୍ତି। ଶତାଧିକ ଲୋକଙ୍କୁ ହତ୍ୟା କରାଯାଇଥିବାବେଳେ ଅନେକ ହଜାରଙ୍କୁ ଗିରଫ କରାଗଲାଣି ବୋଲି ପୂର୍ବରୁ ଏକ ଅଧିକାର ସଂଗଠନ କହିଥିଲା। କିଛିଦିନ ହେଲା ଇଣ୍ଟରନେଟ୍ ସଂଯୋଗ ବନ୍ଦ ରହିବା ସହ ଯୋଗାଯୋଗ କଟକଣା ଯୋଗୁ ସୁରକ୍ଷା ବଳର ଦମନମୂଳକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବାହାରକୁ ଖବର ଆସିପାରୁନାହିଁ। ବିକ୍ଷୋଭକାରୀ ଏବଂ ସୁରକ୍ଷା ବଳ ମଧ୍ୟରେ ସପ୍ତାହେ ହେଲା ରାତିବେଳା ହେଉଥିବା ସଂଘର୍ଷ ଭଡିଓରୁ ଦେଖିବାକୁ ମିଳିଛି। ଗୁଳିମାଡ଼ ସହ ହିଂସାତ୍ମକ ସଂଘର୍ଷ ଓ ପୋଡ଼ାଜଳା ଦେଖାଯାଇଛି।