ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ ସହିତ ଯୋଗାଯୋଗ କରିଛନ୍ତି ଏବଂ ଯୁଦ୍ଧବିରତି ଘୋଷଣା ପାଇଁ ଅନୁରୋଧ କରିଛନ୍ତି। ତଥାପି, ଟ୍ରମ୍ପ୍ ଯୁଦ୍ଧବିରତି ପାଇଁ ଏକ ସର୍ତ୍ତ ରଖିଛନ୍ତି ।

ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ୍ ଲେଖିଛନ୍ତି ଯେ, ଇରାନର ନୂଆ ରାଷ୍ଟ୍ରପତି ଯିଏ ତାଙ୍କ ପୂର୍ବପୁରୁଷଙ୍କ ତୁଳନାରେ ବହୁତ କମ୍ ମୌଳବାଦୀ ଏବଂ ବହୁତ ଅଧିକ ବୁଦ୍ଧିମାନ । ସେ ଆମେରିକାକୁ ଯୁଦ୍ଧବିରତି ପାଇଁ ନିବେଦନ କରିଛନ୍ତି। ଯୁଦ୍ଧବିରତି ପାଇଁ ତାଙ୍କର ସର୍ତ୍ତ ଉଲ୍ଲେଖ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି, “ଆମେ ଏହା ଉପରେ କେବଳ ସେତେବେଳେ ବିଚାର କରିବୁ ଯେତେବେଳେ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା, ମୁକ୍ତ ଏବଂ ସୁରକ୍ଷିତ ହୋଇଯିବ । ସେପର୍ଯ୍ୟନ୍ତ, ଆମେ ଇରାନକୁ ଧ୍ୱଂସ କରି ଚାଲିବୁ – କିମ୍ବା, ଯେପରି ପ୍ରାୟତଃ କୁହାଯାଏ, ଆମେ ଏହାକୁ ‘ପ୍ରସ୍ତର ଯୁଗ’କୁ ଫେରାଇ ଦେବୁ।”

ଟ୍ରମ୍ପ ଏହି ଦାବି କରିବା ମାତ୍ରେ ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଏକ ରିପୋର୍ଟ, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଟ୍ରମ୍ପଙ୍କ ଦାବିର ଜବାବ ଦେଇ କହିଛି ଯେ ଆମେରିକା ରାଷ୍ଟ୍ରପତିଙ୍କ ଅବାନ୍ତର ବୟାନ ଏବଂ ଆଚରଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଖୋଲାଯିବ ନାହିଁ । IRGC ଘୋଷଣା କରିଛି, “ହର୍ମୁଜ୍ ପ୍ରଣାଳୀର ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ତାଙ୍କ ନିୟନ୍ତ୍ରଣରେ ଅଛି, ଏବଂ ଆମେରିକା ରାଷ୍ଟ୍ରପତିଙ୍କ ଅବାନ୍ତର ନାଟକବାଜି ଯୋଗୁଁ ଏହା ଦେଶର ଶତ୍ରୁମାନଙ୍କ ପାଇଁ ଖୋଲାଯିବ ନାହିଁ।”

ଟ୍ରମ୍ପ ପୂର୍ବରୁ କହିଥିଲେ ଯେ ସେ ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ ବିରୁଦ୍ଧରେ ଯୁଦ୍ଧର ଅନ୍ତ କରିବେ । ପରବର୍ତ୍ତୀ ସମୟରେ, ଆମେରିକା ରାଷ୍ଟ୍ରପତି ଏବେ ଦାବି କରିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ଯୁଦ୍ଧବିରତି ଅନୁରୋଧ କରିଛନ୍ତି। ତଥାପି, ଟ୍ରମ୍ପ ସ୍ପଷ୍ଟ କରିନାହାଁନ୍ତି ଯେ ସେ ନୂତନ ଶାସନ ଭିତରେ କାହାକୁ ରାଷ୍ଟ୍ରପତି ବୋଲି କହୁଛନ୍ତି।

 

Dharitri – Odisha’s No.1 Odia Daily

Share