ନ୍ୟୁୟର୍କ,୧୨ା୪(ଏନ୍ଓ୍ବାଇଟି):ଇରାନ୍ ଏବେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ ଜଳପଥକୁ ଅବରୋଧ କରିବା ପାଇଁ ସେଠାରେ ବିଛାଇଥିବା ସମସ୍ତ ମାଇନ୍ସକୁ ଠାବ କରିପାରୁନାହିଁ। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି କାରଣରୁ ଇସ୍ଲାମାବାଦରେ ଚାଲିଥିବା ଶାନ୍ତି ଆଲୋଚନା ବାଧାପ୍ରାପ୍ତ ହୋଇପାରେ। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉକ୍ତ ଚୋକ୍ପଏଣ୍ଟକୁ ତୁରନ୍ତ ଖୋଲିବାକୁ ତେହରାନ୍କୁ ଚେତାବନୀ ଦେଇଛନ୍ତି। ଏହି ଜଳପଥରୁ ଅବରୋଧ ନ ହଟିଲେ ବିଶ୍ୱକୁ ତୈଳ ଓ ପ୍ରାକୃତିକ ବାଷ୍ପ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ବଢ଼ିଚାଲିଥିବାରୁ ଏହା ଇରାନ୍ର ଏକ ଚାଲାକି ବୋଲି ମନେକରାଯାଉଛି। ଆମେରିକା-ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକ୍ ପରେ ଗତମାସରେ ଇରାନ୍ ଛୋଟ ଛୋଟ ବୋଟ୍ଗୁଡ଼ିକ ଜରିଆରେ ହର୍ମୁଜ୍ ପ୍ରଣାଳୀରେ ବିସ୍ଫୋରକ ବିଛାଇଥିଲା। ଏପରି କି ଆଣବିକ କାର୍ଯ୍ୟକ୍ରମ ମଧ୍ୟ ଜାରି ରଖିଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ହର୍ମୁଜ୍ର କେଉଁ କେଉଁ ସ୍ଥାନରେ ମାଇନ୍ସ ବିଛାଇଥିଲା, ତାହାର ରେକର୍ଡ କରି ନ ଥିଲା। ଫଳରେ ସେଗୁଡ଼ିକୁ ଠାବ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ସମ୍ପୃକ୍ତ ଜଳପଥ ଦେଇ ତୈଳ ବୋଝେଇ ଜାହାଜଗୁଡ଼ିକର ପରିବହନ ଏବେ ବିପଦପୂର୍ଣ୍ଣ ହୋଇଯାଇଛି। ଇରାନୀୟ କର୍ତ୍ତୃପକ୍ଷଙ୍କ ଯୋଗୁ ଜାହାଜ ଚଳାଚଳ ଏକପ୍ରକାର ଅସମ୍ଭବ ହୋଇଯାଇଥିବା ଆମେରିକୀୟ ଅଧିକାରୀମାନେ କହିଛନ୍ତି। ହର୍ମୁଜ୍ ହେଉଛି ଆରବ ସାଗରରେ ପାରସ୍ୟ ଉପସାଗରୀୟ ଅଞ୍ଚଳକୁ ଗଲ୍ଫ ଅଫ୍ ଓମାନ୍ ସହ ଯୋଡ଼ୁଥିବା ଜଳପଥ। ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ, ଚାଇନା ଓ ଜାପାନ ସମେତ ବିଶ୍ୱର ବିଭିନ୍ନ ଭାଗକୁ ୨୫% ତୈଳ ପରିବହନ ହୋଇଥାଏ। ଭାରତର ୮୦% ଶକ୍ତି ଆବଶ୍ୟକତା ମଧ୍ୟ ଏହି ଜଳପଥ ପୂରଣ କରିଥାଏ। ଇତିମଧ୍ୟରେ ଇରାନ୍ର ଇସ୍ଲାମିକ୍ ରିଭୋଲ୍ୟୁଶନାରି ଗାର୍ଡ କର୍ (ଆଇଆର୍ଜିସି) ଚେତାବନୀ ଦେଇଛି ଯେ, ଏହା ଦେଇ କୌଣସି ଜାହାଜ ଗଲେ ମାଇନ୍ସ ସଂସ୍ପର୍ଶରେ ଆସି ବିସ୍ଫୋରଣ ଘଟିପାରେ। ସେହିପରି ଆମେରିକା ଯଦି ନିଜ ଯୁଦ୍ଧଜାହାଜଗୁଡ଼ିକୁ ହର୍ମୁଜ୍ ଭିତରକୁ ଆଣିବାକୁ ଉଦ୍ୟମ କରିବ ତେବେ ଏହାର ୩୦ ମିନିଟ୍ ଭିତରେ ଇରାନ୍ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଅନ୍ୟପକ୍ଷେ ଆମେରିକା ଇରାନ୍ର ଏଭଳି ଧମକକୁ ଭ୍ରୂକ୍ଷେପ ନ କରି ହର୍ମୁଜ୍ରେ ମାଇନ୍ସ ସଫେଇ କାର୍ଯ୍ୟ ଆରମ୍ଭ କରିଛି। ଆମେରିକୀୟ ନୌସେନାର ୨ ମିଶାଇଲ ବିଧ୍ୱଂସକ ୟୁଏସ୍ଏସ୍ ଫ୍ରାଙ୍କ ଇ ପିଟରସନ୍ ଏବଂ ୟୁଏସ୍ଏସ୍ ମିଶେଲ ମୁର୍ଫି ଜାହାଜକୁ ଉକ୍ତ ଅଭିଯାନରେ ନିୟୋଜିତ କରାଯାଇଛି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଖୁବ୍ଶୀଘ୍ର ଖୋଲିବ ବୋଲି ଟ୍ରମ୍ପ୍ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।