ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍ସି ବିପକ୍ଷ ଗେମ୍ ପୂର୍ବରୁ ଇରାନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି। ତେବେ ଜୁନ୍ ୧୧ରୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋରେ ଆରମ୍ଭ ହେବାକୁଥିବା ବିଶ୍ୱକପ୍ରେ ଇରାନର ଅଂଶଗ୍ରହଣ ଉପରେ କୌଶସି ସୂଚନା ଦିଆଯାଇ ନାହିଁ।
ଦୁବାଇର ଶାବାବ ଅଲ୍ ଅହଲି ବିପକ୍ଷ ଟ୍ରାକ୍ଟର ଗେମ୍ ସାଉଦି ଆରବରେ ଖେଳାଯିବା କାର୍ଯ୍ୟକ୍ରମ ଥିଲା। ଏହା ଏସିଆନ ଚାମ୍ପିୟନ୍ସ ଲିଗ୍ ଏଲିଟ୍ର ଏକ ପ୍ଲେ-ଅଫ୍ ମ୍ୟାଚ। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି କରା ନ ଯିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ବର୍ତ୍ତମାନ ପରିସ୍ଥିତିରେ ଶତ୍ରୁ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଖେଳାଳିଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଇ ପାରିବେ ନାହିଁ ବୋଲି ଇରାନ କର୍ତ୍ତୃପକ୍ଷ ମନେ କରୁଛନ୍ତି।
ଇରାନ ଯୁଦ୍ଧ ଯୋଗୁ ଏହି ଦେଶର ଆଖପାଖରେ ଥିବା ମଧ୍ୟ ପ୍ରାଚ୍ୟର ପ୍ରାୟ ପ୍ରତ୍ୟେକ ଦେଶ ପ୍ରଭାବିତ ହୋଇଛନ୍ତି। କ୍ଷେପଣାସ୍ତ୍ର ହେଉ କିମ୍ବା ଡ୍ରୋନ ଅବା ବୋମାମାଡ଼ ଗୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି। ବୁଧବାର ଏସିଆନ ଫୁଟ୍ବଲ କନଫେଡେରେଶନ ଡ୍ର’ର ଫଳସ୍ବରୂପ ସାଉଦିଆରବରେ ଟ୍ରାକ୍ଟର ବିପକ୍ଷ ପ୍ଲେଅଫ୍ ଗେମ୍ ଆୟୋଜନ କରାଯାଇଛି। ଏଥିରୁ କ୍ୱାର୍ଟରଫାଇନାଲ ଯୋଡ଼ି ନିର୍ଦ୍ଧାରିତ ହେବ।