ସରେଣ୍ଡର କରିବନି ଇରାନ୍‌, ଆମେରିକା ଆକ୍ରମଣ କଲେ ପରିଣାମ ଖରାପ ହେବ; ପାଲଟା ଧମକ ଦେଲେ…

ତେହରାନ୍‌/ଓ୍ବାଶିଂଟନ୍‌,୧୮ା୬: ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଣ୍ଟ୍ରି ମାରି ଖୋଲାଖୋଲି ଧମକ ଦେଇଛନ୍ତି। ମଙ୍ଗଳବାର ସେ ଇରାନ୍‌ ସୁପ୍ରିମଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ନିଃସର୍ତ୍ତ ଆମତ୍ସମର୍ପଣ କରିବାକୁ ଆହ୍ବାନ ଦେଇଥିଲେ। ଏହାର ଦିନକ ପରେ ୮୬ ବର୍ଷୀୟ ଇରାନ୍‌ ସୁପ୍ରିମଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପାଲଟା ଧମକ ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଖାମେନେଇ କହିଛନ୍ତି, ଯଦି ଆମେରିକା ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ସାମିଲ ହୁଏ ତେବେ ଏହାର ପରିଣାମ ବହୁତ ଖରାପ ହେବ। ଆମେରିକାକୁ ଅପୂରଣୀୟ କ୍ଷତି ସହିବାକୁ ପଡ଼ିବ। ସେହିପରି ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଆମେରିକୀୟ ହସ୍ତକ୍ଷେପକୁ ଯୁଦ୍ଧ ଜରିଆରେ ମୁକାବିଲା କରାଯିବ ବୋଲି କହିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦାବି କରାଯାଇଥିବା ‘ନିସର୍ତ୍ତ ଆତ୍ମସମର୍ପଣ’ର ସିଧାସଳଖ ଜବାବ ଦେଇ ଖାମନେଇ କହିଛନ୍ତି ଯେ ଯେଉଁମାନେ ଇରାନର ଇତିହାସ ଜାଣନ୍ତି, ସେମାନେ ଧମକର ଭାଷା କୁହନ୍ତି ନାହିଁ। ତେବେ ଟ୍ରମ୍ପ କହିଥିଲେ ଯେ ଖାମନେଇ କେଉଁଠି ଅଛନ୍ତି ଆମେରିକା ଜାଣେ, ହେଲେ ତାଙ୍କୁ ଏବେ ହତ୍ୟା କରିବାକୁ ଚାହୁଁନାହିଁ।

ପ୍ରକାଶ ଯେ, ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ବୁଧବାର ଷଷ୍ଟ ଦିନରେ ପହଞ୍ଚତ୍ଛି। ଇସ୍ରାଏଲ୍‌ ଆକ୍ରମଣରେ ଇରାନ୍‌ରେ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତେହରାନ୍‌କୁ ନିଃସର୍ତ୍ତ ଆମତ୍ସମର୍ପଣ ପାଇଁ ଆହ୍ବାନ ଦେବା ପରେ ଇରାନ୍‌ ତେଲ୍‌ଆଭିଭ୍‌କୁ ଟାର୍ଗେଟ କରି ଫତହ-୧ ମିଶାଇଲ୍‌ ଛାଡ଼ିଥିବା କହିଛନ୍ତି। ଇସ୍ରାଏଲ୍‌ରେ ଅଦ୍ୟାବଧି ୨୫ ଜଣ ନିହତ ହୋଇଛନ୍ତି।

Share