ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ଇସ୍ରାଏଲ ଅନୁଯାୟୀ, ଇରାନ ପାଖରେ ଏବେ ଏମିତି କ୍ଷେପଣାସ୍ତ୍ର ଅଛି ଯାହା ୪,୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହାର ଅର୍ଥ ହେଉଛି ଇରାନ ଏବେ କେବଳ ପଡ଼ୋଶୀ ଦେଶ ନୁହେଁ, ବରଂ ୟୁରୋପର ପ୍ରମୁଖ ସହର ଯଥା ଲଣ୍ଡନ, ପ୍ୟାରିସ ଏବଂ ବର୍ଲିନ ପାଇଁ ମଧ୍ୟ ବିପଦ ସାଜିଛି।
ଜୁନ ୨୦୨୫ରେ ଆରମ୍ଭ ହୋଇଥିବା ‘ଅପରେସନ ରାଇଜିଂ ଲାୟନ’ (Operation Rising Lion) ସମୟରେ IDF ଜାଣିବାକୁ ପାଇଥିଲା ଯେ ଇରାନ ଏସିଆ, ଆଫ୍ରିକା ଏବଂ ୟୁରୋପର ଅନେକ ଦେଶକୁ ନିଜ ରଡାର ପରିସରଭୁକ୍ତ କରିବା ପାଇଁ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିଛି। IDF ପକ୍ଷରୁ ’X’ରେ କୁହାଯାଇଛି ଯେ, ଇରାନର ଆତଙ୍କବାଦୀ ଶାସନ ପ୍ରଥମ ଥର ପାଇଁ ଏତେ ବଡ଼ ଦୂରତା ସମ୍ପନ୍ନ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଇସ୍ରାଏଲ କହିଛି ଯେ ଇରାନ ପାଖରେ ଥିବା ଏହି କ୍ଷମତା ବିଶ୍ୱ ଶାନ୍ତି ପ୍ରତି ଏକ ଗମ୍ଭୀର ଚେତାବନୀ।
ଅପରପକ୍ଷେ ଇରାନ ଏହି ଘଟଣାରେ ଓଲଟା ଜବାବ ଦେଇଛି। ଇରାନ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ହାଇଦ୍ରାବାଦସ୍ଥିତ ଇରାନର ବାଣିଜ୍ୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, “ଯଦି ଇସ୍ରାଏଲ ନିଜର ଅତ୍ୟଧିକ ସୁରକ୍ଷିତ ଅଞ୍ଚଳ ’ଡିମୋନା’ (Dimona)ରେ କ୍ଷେପଣାସ୍ତ୍ର ରୋକିବାରେ ବିଫଳ ହୁଏ, ତେବେ ବୁଝିବାକୁ ହେବ ଯେ ଇସ୍ରାଏଲର ଆକାଶ ଆଉ ସୁରକ୍ଷିତ ନୁହେଁ। ଏହା ଯୁଦ୍ଧର ଏକ ନୂଆ ପର୍ଯ୍ୟାୟକୁ ସୂଚାଉଛି।”
ଏହି ସଙ୍କଟଜନକ ସ୍ଥିତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଦେଶ ପାଇଁ ସମୟ ବହୁତ କଠିନ। ସେ ’ଅରାଦ’ର ମେୟରଙ୍କ ସହ କଥା ହୋଇ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ନେତାନ୍ୟାହୁ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, “ଆମେ ସବୁ ସୀମାରେ ଶତ୍ରୁମାନଙ୍କୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ଅଛୁ ଏବଂ ଆକ୍ରମଣ ଜାରି ରଖିବୁ।”ଏହି ଘଟଣା ପରେ ସମଗ୍ର ବିଶ୍ୱରେ ଏବେ ଯୁଦ୍ଧର ଭୟ ଘନୀଭୂତ ହେବାରେ ଲାଗିଛି।
Dharitri – Odisha’s No.1 Odia Daily