ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି ରହିଥିବା ଉତ୍ତେଜନା ଏବଂ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ହେଉଥିବା ବେଳେ, ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତହାଲି ଏକ ବଡ଼ ସଂକେତ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଶ୍ୱର ଅତି ଗୁରୁତ୍ୱପୂର୍ଣ୍ଣ ସିପିଂ ରୁଟ ’ହୋର୍ମୁଜ ଷ୍ଟ୍ରେଟ’ (Strait of Hormuz) ଦେଇ ଭାରତକୁ ସୁରକ୍ଷିତ ଯାତାୟାତ ପାଇଁ ଅନୁମତି ମିଳିପାରେ।
ଯେତେବେଳେ ରାଷ୍ଟ୍ରଦୂତଙ୍କୁ ପଚରାଗଲା କି ଭାରତକୁ ହୋର୍ମୁଜ ମଧ୍ୟ ଦେଇ ସୁରକ୍ଷିତ ଯାତାୟାତର ସୁବିଧା ମିଳିବ କି? ସେ କହିଥିଲେ,”ହଁ, କାରଣ ଭାରତ ଆମର ବନ୍ଧୁ। ଆପଣ ଏହାର ସକାରାତ୍ମକ ପରିଣାମ ଆଗାମୀ ଦୁଇ-ତିନି ଘଣ୍ଟା ମଧ୍ୟରେ ଦେଖିବାକୁ ପାଇବେ।” ଏହି ସାମୁଦ୍ରିକ ପଥ ବିଶ୍ୱ ବାଣିଜ୍ୟ ଏବଂ ତୈଳ ରପ୍ତାନି ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ।
ଫତହାଲି କହିଛନ୍ତି ଯେ, ଏହି ଅଞ୍ଚଳରେ ଇରାନ ଏବଂ ଭାରତର ସ୍ବାର୍ଥ ସମାନ। ଦୁଇ ଦେଶ ମଧ୍ୟରେ ଥିବା ସହଭାଗିତାକୁ ନେଇ ସେ କହିଛନ୍ତି, ଭାରତ ସରକାର ଆମକୁ ସାହାଯ୍ୟ କରନ୍ତି ଏବଂ ଆମେ ମଧ୍ୟ ଭାରତକୁ ସାହାଯ୍ୟ କରିବା ଉଚିତ। ଇରାନର ଉଚ୍ଚପଦସ୍ଥ ଅଧିକାରୀମାନେ ଭାରତ ସହ ସହଯୋଗର ପଥକୁ ସହଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନର ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଉଭୟ ନେତା ଶାନ୍ତି ଏବଂ ସହଯୋଗ ପାଇଁ ଚେଷ୍ଟା କରୁଛନ୍ତି। ଇରାନ ଯୁଦ୍ଧ ଚାହୁଁନାହିଁ, କିନ୍ତୁ ଯଦି ପରିସ୍ଥିତି ଉପୁଜେ ତେବେ ସେଥିପାଇଁ ପ୍ରସ୍ତୁତ ଅଛି। ଆମେରିକା ସହ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଇରାନ ପକ୍ଷରୁ କଥାବାର୍ତ୍ତା ଆରମ୍ଭ କରାଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ସଫଳ ହୋଇପାରି ନାହିଁ। ବର୍ତ୍ତମାନ ଇରାନ ବିଶ୍ୱର ସମସ୍ତ ସରକାରଙ୍କୁ ସ୍ପଷ୍ଟ କରିଛି ଯେ ସେମାନେ ଶାନ୍ତି ଚାହୁଁଛନ୍ତି।
ହୋର୍ମୁଜ ଷ୍ଟ୍ରେଟ ଦେଇ ଭାରତର ଜାହାଜ ଗୁଡ଼ିକ ସୁରକ୍ଷିତ ଭାବେ ଗତି କଲେ, ଏହା ଭାରତର ଶକ୍ତି ସୁରକ୍ଷା ଏବଂ ଅର୍ଥନୀତି ପାଇଁ ଏକ ବଡ଼ ବିଜୟ ହେବ ବୋଲି କୁହାଯାଉଛି।
Dharitri – Odisha’s No.1 Odia Daily